Unknown

 

 

 

 

 

 

 

 

 

 

ଅସ୍ତ ଜହ୍ନର ଏଲିଜି

ଶ୍ରୀମତୀ ପ୍ରତିଭା ଶତପଥୀ

 

ମୋର ସ୍ନେହଶୀଳ ପିତୃପ୍ରତିମ

ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ନନ୍ଦଙ୍କ ସ୍ମୃତିରେ

ପ୍ରତିଭା

 

ଅନୁପ୍ରବେଶ

 

ସ୍ୱାଧୀନତା ପରବର୍ତ୍ତୀକାଳୀନ ଓଡ଼ିଆ କବିତା ବହୁ କଣ୍ଠର କାକଳିରେ ଯେପରି ସମୃଦ୍ଧ, ବହୁ ପ୍ରତିଭାର ସ୍ପର୍ଶରେ ସେହିପରି ବିଚିତ୍ରବର୍ଣ୍ଣା । ଏହି କାଳରେ ଓଡ଼ିଆ କବିତାର ଅଭିବ୍ୟକ୍ତିରେ ବହୁ ପରୀକ୍ଷା ନିରୀକ୍ଷା ହୋଇଛି, ବହୁ ତତ୍ତ୍ୱର ଅନୁଶୀଳନ ହୋଇଛି ଓ ଏବେ ମଧ୍ୟ ହେଉଛି । କିନ୍ତୁ ଶୁଦ୍ଧ ଆବେଗର କାବ୍ୟିକ ପରିପ୍ରକାଶ ରୂପେ, କବିତା ତଥାପି ରହିଛି, ଚିରନ୍ତନ କାଳର କବିତା । ତତ୍ତ୍ୱ ସେଠାରେ ନିମିତ୍ତ ମାତ୍ର । ଏକସ୍ପେରିମେଣ୍ଟେସନ୍ ସେଠାରେ ପନ୍ଥା କିନ୍ତୁ ଲକ୍ଷ୍ୟ ନୁହେଁ । ଶ୍ରୀମତୀ ପ୍ରତିଭା ଶତପଥୀଙ୍କ ‘‘ଅସ୍ତ ଜହ୍ନର ଏଲିଜି’’ ସଙ୍କଳନରେ ସନ୍ନିବିଷ୍ଟ କବିତାଗୁଡ଼ିକରୁ ଏହା ବେଶ୍ ପ୍ରତିପାଦିତ ହୋଇଥାଏ ।

 

ଶ୍ରୀମତୀ ଶତପଥୀ, ‘ଆଙ୍ଗ୍ରୀ’ ’ହଙ୍ଗ୍ରୀ’ ଅଥବା ‘ବୀଟ୍’ କୌଣସି ଗୋଷ୍ଠୀର ନୁହନ୍ତି—ଯଦ୍ୟପି ତାଙ୍କ କବିତାରେ ମଧ୍ୟ ଏ ଯୁଗର ସ୍ଥିତିବାଦୀ ଶୂନ୍ୟତା ଓ ନୈରାଶ୍ୟ ସୁସ୍ପଷ୍ଟ......

 

‘‘ଚାରିପାଶେ ଏଇ ମୋର କଳାରାତି, ଗଭୀର ଶୂନ୍ୟତା

ମୁଁ ଏଠି ଏକାନ୍ତ ସତ୍ୟ, ଜଗୁଆଳ ହରିଶ୍ଚନ୍ଦ୍ର ରାଜା,

କମ୍ପିତ ଆକାଶ ମୋର ଗୁଣଗ୍ରାହୀ ଦାନଶୀଳ ନାମେ

ମୁଁ ତେଜିଚି ପ୍ରିୟତମା, ଶିଶୁପୁତ୍ର, ସିଂହାସନ ଆପଣା ଖୁସିରେ ।’’

(‘ହରିଶ୍ଚନ୍ଦ୍ର’)

 

ତାଙ୍କ କବିତାରେ କୌଣସି ସାମାଜିକ ଅଥବା ରାଜନୈତିକ ‘କମିଟମେଣ୍ଟ୍’ ନାହିଁ । କିନ୍ତୁ ତାଙ୍କର କମିଟମେଣ୍ଟ୍ (କବିତାରେ କମିଟମେଣ୍ଟର ଯଦି କୌଣସି ଅର୍ଥ ଥାଏ) ହୃଦୟ ଓ ଅନୁଭୂତି ପ୍ରତି । ତାଙ୍କ କବିତାରେ ‘ସ୍ଲୋଗାନ୍’ ନାହିଁ, ଅଛି ଗଭୀର ସୌନ୍ଦର୍ଯ୍ୟବୋଧ । ଚିନ୍ତାଦ୍ୟୋତକ ଇଣ୍ଟେଲେକଚୁଆଲିଜମର ଉଦଘୋଷଣା ନାହିଁ, ଅଛି ବହୁ ମାର୍ମିକ, ନିବିଡ଼ ଅନୁଭୂତିର ଅଭିଜ୍ଞତା । ‘ଅସ୍ତ ଜହ୍ନର ଏଲିଜି‘ରେ ସନ୍ନିବିଷ୍ଟ କବିତାଗୁଡ଼ିକ ନିରୋଳା କବିତ୍ୱର ସ୍ୱାକ୍ଷର ବହନକରି ସାମ୍ପ୍ରତିକ ଓଡ଼ିଆ କବିତାକୁ, ବହୁ ପରିମାଣରେ ପରିପୁଷ୍ଟ କରିଅଛି । ଏହି କବିତାଗୁଡ଼ିକର ସୌନ୍ଦର୍ଯ୍ୟ ଚେତନା ଯେପରି ନିବିଡ଼, ଆବେଗ ଓ ଇନ୍ଦ୍ରୟାନୁଭୂତି ସେହିପରି ଗଭୀର । ଏଥିରେ ପରିଚିତ ପରିସର ମଧ୍ୟରୁ ଚମତ୍କାର ଚିତ୍ରକଳ୍ପର ସଂଯୋଜନା ରହିଛି । କେତେକ କବିତାରେ ଲେଖିକାଙ୍କ ଲେଖନୀ ଇମ୍ପ୍ରେସନିଷ୍ଟିକ୍ ଶିଳ୍ପୀର ତୁଳିକାଠାରୁ ବଳି ଅଧିକ ‘ଏକ୍‍ସପ୍ରେସିଭ୍’ ହୋଇପାରିଛି......

 

‘‘ସକାଳୁଆ ଖରା ଡିଏଁ ଅଭିଆଡ଼ୀ ଝିଅ ଭଳି

ଗଛରୁ ପାହାଡ଼, ଆଉ ପାହାଡ଼ରୁ ପାହାଡ଼ ତଳିକୁ

ଗଦା ଗଦା ଅଳସୀ ଫୁଲର ଦେହେ ତଡ଼ିତ୍ ଜଗାଇ

ଝରକାର କାଚ ଦେହେ ନେସିହୁଏ ବନର ଶ୍ୟାମଳ ।’’

(ଅରଣ୍ୟ ଚଳନ୍ତା ଗାଡ଼ିରୁ)

 

ସାମ୍ପ୍ରତିକ କବିତାରେ ଅସ୍ପଷ୍ଟତା ଓ ଦୁର୍ବୋଧ୍ୟତା ଏକ ‘‘କଲ୍ଟ୍ (Cult)ରେ ପରିଣତ ହେବାର ଯଥାର୍ଥତା, ଅନ୍ୟଥା ଯାହା ହୋଇଥାଉ ନାଁ କାହିଁକି, କବିତା ପାଇଁ ଏହା ଯେ ଅପରିହାର୍ଯ୍ୟ, ତାହା କୁହାଯାଇ ନ ପାରେ । ଚିତ୍ରକଳ୍ପର ଅଭିନବ ପ୍ରୟୋଗ, ଟେକନିକ୍‍ର ଅତ୍ୟାଧୁନିକତା ଓ ଆଙ୍ଗିକର ଚମତ୍କାରିତାରେ କେବଳ ରସୋତ୍ତୀର୍ଣ୍ଣ କବିତା ସମ୍ଭବ, ଏହା ମଧ୍ୟ ନୁହେଁ । ଏସବୁକୁ ବାଦ୍‍ଦେଇ ମଧ୍ୟ ସାର୍ଥକ ଲେଖା ଯାଇପାରେ—‘ଅସ୍ତ ଜହ୍ନର ଏଲିଜି’ ଏହା ପ୍ରମାଣିତ କରିଅଛି । ବସ୍ତୁତଃ ସାମ୍ପ୍ରତିକ କବିତା ଆତ୍ମ-ସଚେତନତାରେ ଯେପରି ଦୁର୍ଭାରଗ୍ରସ୍ତ ଓ ସ୍ୱେଚ୍ଛାକୃତ, ଆୟାସଲବ୍ଧ କ୍ଳିଷ୍ଟତାରେ ଅବୋଧ୍ୟ—ପ୍ରତିଭାଙ୍କ କବିତାଗୁଡ଼ିକ ସେଥିରୁ ଏକ ବ୍ୟତିକ୍ରମ ।

 

ଏହି ସଂକଳନରେ ସନ୍ନିବିଷ୍ଟ ‘ସର ଦେଈ’ କବିତା ମୋତେ ବିଶେଷ ଭାବରେ ମୁଗ୍ଧ କରିଛି । ‘ନୀଳଶୈଳ’ ଉପନ୍ୟାସରେ ସର ଦେଈ ଚରିତ୍ର ମୁଁ ସୃଷ୍ଟି କରିଥିଲି ସତ୍ୟ, ମାତ୍ର ସର ଦେଈର ପରିଚୟ ଯେପରି ମୁଁ ପ୍ରଥମ ଥର ପାଇଁ ପାଇଲି ଏହି କବିତାରେ । କବିର ଅନ୍ତର୍ଦୃଷ୍ଟିରେ ପ୍ରତିଭା ସର ଦେଈର ଚରିତ୍ରକୁ ଯେପରି ଉତ୍କୀର୍ଣ୍ଣ କରିଛନ୍ତି, ତାହା ବାସ୍ତବିକ ଅନବଦ୍ୟ । ଏହି ପ୍ରତିଭାଶାଳିନୀ କବିଙ୍କର କାବ୍ୟକୃତିରେ ସାମ୍ପ୍ରତିକ ଓଡ଼ିଆ କବିତା ସମୃଦ୍ଧ ହେବ— ଏହା ନିଃସନ୍ଦେହ ।

 

ଶିବାନୀ

 

କଟକ

ସୁରେନ୍ଦ୍ର ମହାନ୍ତି

୨୦ ମେ, ୧୯୭୦

 

***

 

ସୂଚୀପତ୍ର

 

୧.

ନାବିକ ବିଲୟ

୨.

ଶତାବ୍ଦୀର କନ୍ୟା

୩.

ହେ ମୋର ନିଷ୍ଠୁର ଆଶା

୪.

ଚିତ୍ରିଣୀର ଆହ୍ୱାନ

୫.

ଶିଖଣ୍ଡୀ

୬.

ଆହ୍ୱାନ

୭.

ଅସ୍ତ ଜହ୍ନର ଏଲିଜି

୮.

ସ୍ୱପ୍ନାନ୍ତେ

୯.

ପ୍ରତୀକ୍ଷମାଣ

୧୦.

ହରିଶ୍ଚନ୍ଦ୍ର

୧୧.

ଉଲକ

୧୨.

ଅବାଟରୁ ହଠାତ୍ ଫେରିଆସି

୧୩.

ସେଲିମ୍‍ର ପତ୍ର

୧୪.

ପ୍ରେତ

୧୫.

ଶକୁନୀ

୧୬.

କେତକୀ କଳିର କଥା

୧୭.

ଅରୂପ

୧୮.

ଅସ୍ତ ଜହ୍ନର କଫିନ

୧୯.

ମୁମୂର୍ଷୁର କେତୋଟି ମୁହୂର୍ତ୍ତ

୨୦.

ଖେଳଘର

୨୧.

ଶତାବ୍ଦୀ-ପୁରୁଷ

୨୨.

ସମୟାତୀତ

୨୩.

ଆର୍ତ୍ତନାଦ

୨୪.

ଲାଙ୍ଗୁଳାର ସଙ୍ଗୀତ

୨୫.

ଅପହଞ୍ଚ

୨୬.

ଅହଲ୍ୟାର ଆର୍ତ୍ତନାଦ

୨୭.

କ୍ଷମାଦିଅ

୨୮.

ତପସ୍ୟା

୨୯.

ସୀତୟାର ସପ୍ତପଦୀ

୩୦.

ଖଦ୍ୟୋତ

୩୧.

ପ୍ରଚଣ୍ଡ ପ୍ରତ୍ୟୟର ପରିପୂର୍ତ୍ତିରେ

୩୨.

ସାଧନା

୩୩.

ସ୍ମୃତି

୩୪.

ନିଗଡ଼

୩୫.

ଶୀତପୂର୍ବରୁ

୩୬.

ଚିଠି

୩୭.

ଯୁଗନାରୀ

୩୮.

ଆତ୍ମହତ୍ୟା ଜନିତ ମୃତ୍ୟୁରେ

୩୯.

ଅରଣ୍ୟ, ଚଳନ୍ତା ଗାଡ଼ିରୁ

୪୦

ସର ଦେଈ

ସ୍ମୃତି........ସ୍ୱପ୍ନ........ସମାଧି...............

***

 

ନାବିକ ବିଲୟ

 

ଅତଳ ଦରିଆ ତଳେ ଆଜି ଯେବେ ଡୁବିଯାଏ ନାଆ

ଭୟରେ ବିବ୍ରତ କରେ ନିର୍ଜନ ସେ ପାଗଳ ଲହରୀ,

ଅଥୟ ଏ ଲୁଣିଜଳେ ଲୁଚିଯାଏ କେତେ ମନ ଛାଇ

ନୟନରେ ରୁଦ୍ଧବାଷ୍ପ ବେଦନାର ବିକ୍ଷୁବ୍ଧ ଝରଣା;

ଆକାଶର ନୀଳ ଏଠି ମିଶିଯାଏ ସାଗର ନୀଳରେ ।

 

ଆଜି ମୋର ମନେପଡ଼େ କେତେ ଦୂରେ ହଜିଲା ଅତୀତ

ସେ ଏକ ନାବିକ ଥିଲା ହୀରା, ନୀଳା ଖଚିତ ନାଆରେ

ମୁଗ୍ଧ ତା‘ ମନର ଧାରେ ସରୁ ସରୁ କାରୁକାର୍ଯ୍ୟ କେତେ

ବୈଦୁର୍ଯ୍ୟ ଦ୍ୱୀପର ଦେଶେ ଚାଲୁଥିଲା ତାହାରି ନଉକା

ଅନ୍ଧାରର କଳାରାତି, ବ୍ୟଥାହତ ନିଝୁମ ପ୍ରହରେ ।

 

ଆଲୋକ ପ୍ଳାବନ ତଳେ ସେ କରିଲା ଆକୁଳ ମିନତି

ଏଇ ଯେ ଦିଶୁଚି ଦୂରେ ବତୀ ଖୁଣ୍ଟ ସେଇଠି ତା’ବାସ,

ମଣିର ତୋରଣ ତା’ର ଚୂପ୍ ଚୂପ୍ ସଙ୍ଗୀତ ଗାଉଛି

ସେ କହିଲା ଥଣ୍ଡା ଏଇ ରାତିର ଯା’ ବିପର୍ଯ୍ୟସ୍ତ ମାୟା

ତା’ ରାଜ୍ୟରେ ଖାଲି ଫୁଲ, ରଙ୍ଗ ଆଉ ସୁରଭି ଉତ୍ସବ ।

 

ସେ ଗାଇଲା ସ୍ୱାଗତିକା, ତା’ ପରାଣ ଆବେଗ ଉତ୍‍ଥଳ,

କଦମ୍ୱ ରୋମାଞ୍ଚ ତା’ର ଶରୀରର ପ୍ରତିଟି ଅଣୁରେ

ହେଲେ ବା ମୋ କ୍ଷୁଦ୍ର ନାବ ମୁଉଁ ବେଶ୍ ପରିତୃପ୍ତି ପାଏ,

ନାବିକ ନିର୍ଭୀକ ଏକ, ମୁଁ ଲୋଡ଼େନି ଅପର ଆଶ୍ରୟ

ଧୀର ମୋର ଗତିପଥ, ପୂର୍ଣ୍ଣ ମୋର ସକଳ ପାଥେୟ ।

 

ସେ ହସିଲା ଥର ଥର କଣ୍ଠୁ ତା’ର ନୀରବିଲା ଭାଷା

ନୟନରେ ବ୍ୟର୍ଥତାର ଛଳ ଛଳ ଅଶ୍ରୁଳ ଚାହାଣୀ,

ମିଶିଗଲା କ୍ଷିପ୍ର ଅତି ଅନ୍ଧକାର ଦିଗ୍‍ବଳୟ ତଳେ

ମୁଁ ଖାଲି ଶୁଣିଲି ଏଇ ସମୁଦ୍ରର ଉତ୍ତାଳ ଲହରୀ

ତା’ ସଙ୍ଗୀତ ଗାଇଗଲେ ଫୁଲ ଏବଂ ପୁଲକ ରାତିର ।

 

ଆଜି ଯେବେ ମୋ ପଥରେ ଘୂର୍ଣ୍ଣିବାୟୁ ବିପଥ ଆସର

ଆକାଶରେ କୁହୁଡ଼ିର ଭଙ୍ଗା ଭଙ୍ଗା ଘନ ଆସ୍ତରଣ,

ଆଲୋକ ସଙ୍କେତ ନାଇଁ, ବତୀଖୁଣ୍ଟ ଅସ୍ପଷ୍ଟ ଦିଶୁଚି,

ଏ ବେଳେ ମୋ ଅନ୍ତରର ନିଭୃତରେ ତା’ ସ୍ମୃତି ଉଚ୍ଛଳ

ଫେରିଗଲା ଯିଏ ଦିନେ ତା’ ଲାଗି ମୁଁ ଆଶାରେ ଆହତ ।

 

୧୯୬୨

***

 

ଶତାବ୍ଦୀର କନ୍ୟା

 

ମୋ ତନୁ ଅଗ୍ନିରେ ଜାଳି

ତୁମେ ଯଦି କରିନିଅ ସତୀତ୍ୱ ପରଖ

ମୋ ଅଙ୍ଗେ ନଥାଇପାରେ ସୁବର୍ଣ୍ଣର ତେଜ

କାରଣ ଏ ସୀତା ଯୁଗ ନୁହେଁ ।

 

ଅପନିନ୍ଦା ଗୁରୁଭାର ଲଦିଦେଇ ମସ୍ତକରେ ମୋର

ଧଇର୍ଯ୍ୟ କଳିବ ଯଦି—

ତେବେ ବନ୍ଧୁ ପାରୁନି ମୁଁ କହି

ହସରେ ବିଭୋର ହେବି

ଅବା ଏଇ ରସାତଳେ ଲଭିବି ସମାଧି,

କାରଣ ମୁଁ ରାଧା ନାରୀ ନୁହେଁ ।

 

ଟିକକ ସଙ୍କେତ ମୋର ଅକସ୍ମାତ ହଜିଗଲେ ସତେ

ପ୍ରେମର ସରଣୀ ପରେ ମତେ ଯଦି ଅଭିଶପ୍ତା କରି,

ଘୂରାଇବ ଦିବା ନିଶି, ଜାଣିବାକୁ ସାଧନାର ମୂଲ,

କୋଳରେ ଧରିବ ନାହିଁ ବ୍ୟଥାହତା ମେନକା ଅପ୍‍ସରା

କାରଣ ମୁ ମଧୁଜନ୍ମା ନୁହେଁ ।

 

ମୁଁ ଏଇ ଶତାବ୍ଦୀର ଶୁଭାଶୁଭ ପ୍ରତିନିଧି ମାତ୍ର

ବିଷମ ପରୀକ୍ଷା ତଳେ ମୋ ସ୍ଥିତି ମୁଁ ଖୋଜିବସେ ନାଇଁ

ସୀତା, ରାଧା, ଶକୁନ୍ତଳା

ମୋ ଅନ୍ତରେ ସକଳେ ଜୀବିତା

ମାତ୍ର ମୁଁ

ଛାଇମାତ୍ର ଚହଲା ପାଣିର

କେତେଦୂର

ହସନ୍ତିନାରୁ କଟକ ସହର ?

 

ତା ୨୭ । ୩ । ୬୨

***

 

ହେ ମୋର ନିଷ୍ଠୁର ଆଶା

 

ବେଦନାର ଧୂପଜାଳି ଅନ୍ଧକାରେ ଧିମେଇ ଧିମେଇ

ତୁମେ କି ସୂଚାଇ ଦିଅ ଭୟଙ୍କର ନିଶୂନ ଜଡ଼ତା

ଅତୀତର ମୃତ ସ୍ତୂପ ତଳୁ କିବା ମୃହ୍ୟମାନ ହୋଇ

ଅଧୀର ମୂର୍ଚ୍ଛନା ତୋଳ ଚହଲାଇ ସବୁ ସାର୍ଥକତା ।

 

ହେ ମୋର ନିଷ୍ଠୁର ଆଶା, କୋହ, ଅଶ୍ରୂ ସମ୍ୱଳିତ କରି

ରୁଦ୍ଧଶ୍ୱାସ କର ମତେ ତୁମେ କିବା ରାତ୍ରିର ଶକୁନି

ପଳ ପଳ ରକ୍ତ ଶୋଷି ବୁଣିଯାଏ ଧ୍ୱଂସର କୁହେଳି,

ଅକସ୍ମାତ ବଜ୍ରପାତ ତୁମେ କିବା ବନ ଅଗ୍ନି ପୁଣି ।

 

ତୁମରେ ଢାଳିଚି କେତେ ହୃଦଭରା ଆକୁଳ ମିନତି

କଣ୍ଠେ ଭରି କରୁଣତା ଡାକିଅଛି ବ୍ୟାକୁଳିତ ମନେ

କେତେ ବା ଲେଖିଚି ସ୍ୱପ୍ନ ନୟନର ତୂଳୀଧାର ପରେ

ତୁମକୁ ଖୋଜିଚି କେତେ ପୁଲକିତ, ମଉନ ନିର୍ଜ୍ଜନେ ।

 

ନିଃଶ୍ୱାସର ଉତ୍ତାପରେ ତୁମେ କିବା ଯାଦୁକରୀ ମାୟା

ଭୁଲାଇ ଚ ସ୍ୱର୍ଗ ମତେ, ଦେଇଚ ବି ଆକାଶ କୁସୁମ,

 

 

ସୁଖ ଓ ଦୁଃଖର ତଳେ ନିଭାଇଚ ଅଜସ୍ର ଲିପିକା

ତୁମେ କି ନରକ ବନ୍ଧୁ, ଅଥବା ମୋ ବଇକୁଣ୍ଠ ଧାମ ?

 

ଆଜି ବି ସମାଧି ପରେ ତୁମ ସ୍ତୁତି ଝରେ ମୋର ମୁଖୁ...

‘‘ହେ ମୋର ନିଷ୍ଠୁର ଆଶା, ଆସ ଥରେ ଦୋହଲାଇ ବୁକୁ ।’’

 

ତା ୧୫ । ୬ । ୬୨

***

 

ଚିତ୍ରିଣୀର ଆହ୍ୱାନ

 

‘‘ପାନ୍ଥରେ ! ଆଜି ପ୍ରୀତି ଚର୍ଚ୍ଚିତ ରାତିରେ

ଡାକେ ତୋରେ ମୁହିଁ ବନଚିତ୍ରର କନ୍ୟା

ଚିତ୍ରିଣୀ ମୁଁ ଯେ ରୂପରଙ୍ଗର ନାୟିକା

ତୋ ପରଶେ ହେବି ଏଇ ଏ ଜୀବନେ ଧନ୍ୟା ।

 

ତରୁ ଗୁମ୍ଫିତ ଏଇ ବନ ପଥେ ପାନ୍ଥ

ରାତ୍ରିର ମାୟା ବ୍ୟସ୍ତ କରେନି ତତେ କି—

କହ କହ ମୋରେ ନୂତନ ଜଗତ ବାରତା

ପୁଲକ ପରାଗ ବୋଳି ତୁ ଆସିଚୁ ସତେ କି ?

 

ଶୁଣ୍ ଶୁଣ୍ ଦୂରେ ସାନ୍ତାଳୀ ଝିଅ ଗାନଟି

ମହୁଲ ମଦର ବାସ୍ନା ଛୁଟାଏ ଅନିଳ

ପକ୍ୱରସାଳ ଗନ୍ଧେ ବାତୁଳ ଏ ପଥ

ଦେବଦାରୁ ଶାଖେ ଅଳସଜହ୍ନ ରୋଷଣୀ

ଝରି ଝରି ପଡ଼େ ମୁକୁଳା ଜୋତ୍ସ୍ନାବିନ୍ଦୁ

ମୋ’ କବରୀର କୋରୁହାଁ କଳିକା ଡାକଇ

ଅନ୍ତରେ ନାଚେ ପୂର୍ଣ୍ଣିମା ନିଶି-ସିନ୍ଧୁ ।

 

ଚଇତର ଆଜି ଶେଷ ରାତ୍ରିରେ ପାନ୍ଥ

ବଇଶାଖୀ ଧୂମ କାଲିଠୁଁ ବହିବ ଏ ବନେ

ଚିତ୍ରିଣୀ ମୁଁ ଯେ ମୁଗ୍ଧା ଡାକଇ ତୋହରେ

ଯାଅନା, ଯାଅନା ଫୁଲ ରାତିର ଏ ସପନେ ।

 

ତୁ ଆସିଚୁ ଆଜି ଆସିବନି ଆଉ ଏ ଦିନ

ମୁଁ କି ଆଉ ତୋରେ ସମୀପେ ପାଇବି ଜୀବନେ

ସ୍ପର୍ଶ ଆତୁର ଏଇ ତରୁଛାଏ ଝୁରେ ମୁଁ

ସ୍ମୃତିର ଲିପିକା ଲେଖି ଯା’ ଏ ବନ ଗହନେ ।’’

 

‘‘ଏଇ ଦେଖ୍ ଏଇ ଅସ୍ତ ଜହ୍ନ, ରସିକା !

ଦିଗ୍‍ବଳୟରେ ପୀତାଭ ନୀଳିମା ଲେପିତ

ବନ ପକ୍ଷିଣୀ ଗାଇଉଠେ ଅତି ଆମୋଦେ

ସରି ସରି ଆସେ ପୂର୍ଣ୍ଣ ଯାମିନୀ ଲଳିତ ।

 

ପାହାନ୍ତି ରାତି କମ୍ପେ ମୋ ହିଆ ସଜନୀ

ନାସାପଥ ଛୁଏଁ ବନ ପୁଷ୍ପର ବିକାଶ

ତୋର ଆହ୍ୱାନେ ଆସିଥିଲି ମୁହିଁ ତୋ ପାଶେ

ରହିଯାଏ ହାୟ ! ତନୁ ମନେ ମୋର ପରାଶ ।

 

 

 

ମୁଁ ଯାଉଚି ଦୂରେ ଏଇ ବନ ଶେଷ ସୀମାରେ—

‘ଷ୍ଟେସନ’ ଉପରୁ ରେଳଗାଡ଼ି ଡାକ ଶୁଭଇ

ଫେରିଯା ନବୀନା; ସାନ୍ତାଳୀ ପିତା ତୋହର

ଡାକୁଥିବ କେତେ ଆଦରେ ତୋ ନାମ ତୁହାଇ ।

 

ସଭ୍ୟ ଜଗତ ମଣିଷ ମୁଁ ଜାଣୁ ତୁ ପରା

ଭୁଲାନାରେ ବାଳା ! ଚଞ୍ଚଳ ଆଖି ଲୋତକେ

ଜ୍ଞାନ କର୍ଷଣ, ବିଜ୍ଞାନ ମୋର ସାଧନା

ଯିବାକୁଇ ହେବ ଏଇ ପ୍ରଭାତର ଆଲୋକ ।

 

ବୃଥା ଅନୁରୋଧ ଚିତ୍ରିଣୀ ଆଗୋ ନ କର

କେସନେ ମୁଁ, କହ ଏ ବନେ ରଚିବି ଆବାସ

ନୂତନ ସୂର୍ଯ୍ୟ ସଙ୍କେତ ଦିଏ ବୁଝୁ କି—

ଯିବି ମୁଁ, ଯିବି ମୁଁ, ଭୁଲି ଯା’ ସକଳ ଆୟାସ ।

 

ପୂର୍ବ ଆକାଶେ କିଏ ଲେପିଲାଣି ଅବିର

କିଏ ସେ ତୋଳଇ ଉଷା ସଙ୍ଗୀତ ସୋହାଗ,

 

 

 

 

ଜୀବନ ସଜନୀ ନୁହଁଇ କ୍ଷଣିକ କାହାଣୀ,

ଚାଲିଲି ମୁଁ ଦୂରେ ଧରି ତୋ ସ୍ମୃତିର ସରାଗ ।’’

 

ତା ୨୨ । ୧୨ । ୬୨

***

 

ଶିଖଣ୍ଡୀ

 

ଶିଖଣ୍ଡୀ ଆସୁଚି ଏଇ ଝୁଲି ଝୁଲି ଧୂସର ପଥରେ

ରଣଭୂମି ବିଭୀଷିକା, କୋଳାହଳ, ରକ୍ତପାତ ଯେତେ

ଯେତିକି ବୀରତ୍ୱ ଆଉ କୌଶଳର ପ୍ରଶଂସିତ ଗାନ

ସକଳ ପାଦରେ ଦଳି ଏଇ ଆସେ ଭୟଙ୍କର ଅତି ।

 

ସେ ଆସୁଚି କାଟି କାଟି ସ୍ନେହ ଆଉ ମମତାର ଜାଲ

ଆଖିରେ ଆଖିଏ ରକ୍ତ ମନତଳେ ପ୍ରବଳ ବଞ୍ଚନା

ଓଷ୍ଠ ପୁଟେ ସର୍ବଗ୍ରାସୀ ହରଷରୁ ବିନ୍ଦୁଏ ଲଗାଇ

ପ୍ରଳୟର ଧ୍ୱଜାତୋଳି ସିଏ ଆସେ ଅଶୁଭ ସଙ୍କେତ ।

 

ଭୀଷ୍ମର ମନରୁ ତେଣୁ ତୁଟିଯାଏ ସ୍ୱପ୍ନିଳ ଖିଆଲ

ଜ୍ଞାନର ଗରିମା ଯେତେ ଆତ୍ମବଳ, ସ୍ଫୀତିର ପୁଲକ,

ଏହାପରେ ଖାଲି ସିନା ଯନ୍ତ୍ରଣା ଓ ମରଣର କୋହ

ତୃଷାରେ ଫାଟିବ ଛାତି, ଚକ୍ଷୁ ହେବ ସ୍ତିମିତ କାତର ।

 

ବିଗତ ଦିନରେ କେତେ ଉଲ୍ଲସିତ ଶ୍ୟାମଳ ଆଗ୍ରହ

ପୁଷ୍ପିତ ଉତ୍ସବ ଆଉ ଚନ୍ଦ୍ରତଳେ ଚକିତ ଧରଣୀ

 

 

ଆବେଗରେ ଦିଆନିଆ, ସବୁ ପରେ ବଜ୍ରାଘାତ କରି

ସଦର୍ପେ ଆସୁଚି ଏଇ ମରଣର ନିଶ୍ଚିତ ଆହ୍ୱାନ ।

 

ନାରୀର ପଣତ ତଳେ ନାଇଁ ତା’ର କୋମଳ ସରାଗ

ପୁରୁଷ ଯୁଗଳ ବାହୁ, ନାଇଁ ତହିଁ ବୀରତ୍ୱର ଲେଶ,

ସିଏ ଏକ କ୍ଳୀବ, ଆଉ ଜୀବନର ଏକାନ୍ତ ଛଳନା

ଉଜ୍ଜ୍ୱଳ ତପନ ମୁଖେ ଛାଇ ଢାଙ୍କି ହେଇ ସିଏ ଆସେ...

 

ସେ ହୁଏତ ହୋଇପାରେ ମନ୍ଦ କର୍ମ, ବିସ୍ମୃତ ଅତୀତ

ଆଜି ବି ସେ ଧାଇଁଆସେ ସର୍ବଗ୍ରାସୀ ପ୍ରତିଶୋଧ ନିଆଁ

ନିଭିଯାଏ ଏ ଧରଣୀ ମାୟା, ମୋହ, ବଞ୍ଚିବାର ଆଶା

ଆଜି ସବୁ ଅହେତୁକ; ସତ୍ୟ ଏକା ଶିଖଣ୍ଡୀ ଆସୁଚି ।

ତା ୨୨ । ୮ । ୬୩

***

 

ଆହ୍ୱାନ

 

ଧୂମାୟିତ ଦିଗ୍‍ବଳୟ କମ୍ପିଉଠେ

କମ୍ପିଉଠେ

ପ୍ରଶାନ୍ତ ଆକାଶ,

କ୍ରୋଟେନ୍ ଆଉ ଡାଲିଆର ଶ୍ୟାମପତ୍ର

ଦୋହଲି ଦୋହଲି

ମାନସ ସମୁଦ୍ରତୀରେ ଜଗାଏ ବି ଅଶାନ୍ତ ବତାସ ।

 

ଶ୍ରୂତିରେ ତରଙ୍ଗ ତୋଳେ,

ଉତ୍‍କୂଳ ଏ ବେଗବତୀ ତଟିନୀର ସ୍ରୋତ

ଏ କାହାର ଡାକ...?

ନାଗେଶ୍ୱର ଗଛର ଶାଖାରେ

ଗୋଲାପ-ରଙ୍ଗର ପକ୍ଷୀ

ତା’ମଥାରେ

ସୂର୍ଯ୍ୟାସ୍ତର ଚୂଳ,

ଅଗସ୍ତି କଢ଼ିର ଚଞ୍ଚୁ

ତା’ଆଖିରେ ରାତିର ଅନ୍ଧାର ।

 

 

 

ସେ ଗାଉଚି ବସି ବସି ଦରଭୁଲା ପ୍ରୀତିର ସଙ୍ଗୀତ ।

ମୋ ଶ୍ରୂତି ଆଚ୍ଛନ୍ନକରେ ସେ ରାଗିଣୀ

ନିକଟେ, ଦୂରରେ

ପ୍ରିୟାରେ ଡାକୁଚି ପ୍ରିୟ

ଆତ୍ମା ଅବା ଡାକୁଚି ଆତ୍ମାରେ ।

 

ମୁଁ ଶୁଣୁଚି ଅସ୍ଥିର, ନିର୍ବାକ

କାହା ଡାକ...

ଏ କାହାର ଡାକ ?

 

ତା ୨୯ । ୨ । ୬୪

***

 

ଅସ୍ତ ଜହ୍ନର ଏଲିଜି

 

ଜହ୍ନର ଚିହ୍ନ ବି ନାଇଁ ନୀଳ ଏଇ ବିସ୍ତୀର୍ଣ୍ଣ ଆକାଶେ

ସମୁଦ୍ର ଲହଡ଼ି ପରି ଏଠି ଖାଲି ବାଦଲ ଭାସୁଚି

ଅଜସ୍ର ତାରାର ମୋହ

ଏ ରାସ୍ତାରୁ ଅନ୍ଧକାର ଟିକେହେଲେ

ଘୁଞ୍ଚାଇ ପାରୁନି...

ମୁଁ ଚାଲୁଚି ଧୀର ପଦେ ଆଜିର ଏ ନିରୋଳା ନିଶୀଥେ ।

 

ଜହ୍ନ ତ ଯାଇଚି ଅସ୍ତ

ନିକଟ ପକ୍ଷୀର ଗାନେ ସ୍ପଷ୍ଟ ହୁଏ

ଏବେ ବି ତା’

ଅସ୍ତର କାରୁଣ୍ୟ,

ଯେମିତି ଅଗ୍ନିରେ ଦଗ୍ଧ

କେଉଁ ଏକ ଶ୍ୟାମଳ ଅରଣ୍ୟ ।

ତା ଛାତିରେ ଧରିରଖେ

କଳା କଳା ଚିହ୍ନ ।

 

ମୋ ଆଖିରୁ ରଙ୍ଗ ପୋଛି

ଏ ରାସ୍ତାରେ କେତେ ଧୂଳି ଉଡ଼ିବି ଯାଇଚି—

ପବନର ସାଥେ ମାତି, ଆଲିଙ୍ଗନ କରି

ଗଛ ଝଡ଼ା ଧୂସର ପତ୍ରରେ

ଧୂ ଧୂ ଦ୍ୱିପ୍ରହର ବେଳେ ।

ମୋ ପାଦର କ୍ଷିପ୍ରଗତି ସ୍ଥିର ହୁଏ

ଆଜିର ଏ ଘୋର ଅନ୍ଧକାରେ

ମୁଗ୍ଧ ତେଣୁ ମୁଁ ଝୁରୁଚି ଏ ଜହ୍ନର ଶୀତଳ ଜ୍ୟୋତ୍ସ୍ନାରେ

କୋଟିଏ ତାରାର ବୁକେ ମଥା ପିଟି

ଅଳିକରି, ମିନତି ବି କରି

ଫୁଲ ସବୁ ଖୋଲୁଚନ୍ତି ଚୂପ୍ ଚୂପ୍

ପାଖୁଡ଼ାର ଓଠ

ଏ ରାସ୍ତାର ନିକଟେ, ଦୂରରେ...

ସତେ ବା ଆସିବ ଜହ୍ନ, ଆଉ ଥରେ

ଆକାଶର ବିସ୍ତୀର୍ଣ୍ଣ ନୀଳରେ ।

ତା ୩୦ । ୨ । ୬୪

***

 

ସ୍ୱପ୍ନାନ୍ତେ

 

ମନର ନୀଳିମା ହଜେ ତ୍ରିଯାମାର ଅସ୍ପଷ୍ଟ ଅଂଧାରେ

ତନୁରୁ ରୋମାଂଚ ମରେ, କଣ୍ଠ ହୁଏ ଦୂରଂତ ଶୀତଳ

ଚେତନା, ବିବେକ ଅବା ହଠାତ୍ ଆସି ବସନ୍ତି ଆବୋରି

କଳ୍ପିତ ମାନସ ପଟେ, ସରିଆସେ ସ୍ୱପ୍ନର ସମ୍ଭାର ।

 

ସଚେତନ ଦିବାଲୋକେ ଅସ୍ତଯାଏ ଅନେକ କଳ୍ପନା

ଅନେକ ସ୍ମୃତିରେ ଭରା ଅନ୍ତର ବି ଅଚଞ୍ଚଳ ରହେ,

ଫିଟିଲେ ହସିବ ସୃଷ୍ଟି ଘୃଣା ଆଉ ଭ୍ରୂକୁଟୀର ତଳେ

ସ୍ୱପ୍ନ ପ୍ରାଚୀନଭେ ହୁଏ ତା’ର କିନ୍ତୁ ନିତି ଉଦୟନ ।

 

ସେମିତି ସେ ଆସିଥିଲା ନିଶୀଥର ମୁଗ୍ଧ ସମାରୋହେ

କଣ୍ଠେ ତା’ର ମୂର୍ଚ୍ଛାହତ ଦରଭୁଲା ପ୍ରୀତିର ସଙ୍ଗୀତ,

ତ୍ରସ୍ତ ଦୁଇ ଆଖି କୋଣେ ଶତାବ୍ଦୀର ସମସ୍ତ ବେଦନା

ହସ୍ତରେ ତା’ ଉପହାର–ପ୍ରବାଳ ଓ ପଦ୍ମରାଗମଣି ।

 

ସେ ଅବା ଆସିଲା ଭରି ପୁଷ୍ପୋତ୍ସବ ଉଷର ଭୂଇଁରେ

ତୃଷାର୍ତ୍ତ ଧରାରେ ସିଏ ହୋଇପାରେ ବର୍ଷାର ସୂଚନା,

 

 

ମରୁଯାତ୍ରୀ ନୟନର ସ୍ମୃତି ଏକ ସୁଦୂର ଶ୍ୟାମଳ

ତା‘’ ସ୍ପର୍ଶରେ ଜାଗିଥିଲା ଅଚାନକ ଶିଳାରେ ଶୀତ୍କାର ।

 

ସିଏ ହାୟ ଲୁଚିଗଲା ଏ ରାତିର ଅଟ୍ଟହାସ ତଳେ

ମୁଦ୍ରିତ ନୟନ ଯେବେ ମୁକ୍ତହୋଇ ପାଖୁଡ଼ା ମେଲିଲା,

ନିର୍ଜ୍ଜନ ପବନେ ବାସ୍ନା ଆସୁଥିଲା ରଜନୀଗନ୍ଧାର

ଅବସନ୍ନ ତନୁତଟେ ଗର୍ଜ୍ଜୁଥିଲା ରାତିର ଅନ୍ଧାର ।

 

ପ୍ରିୟର ସ୍ମୃତିରେ ଭରା ଗତ ଏକ ମୁହୂର୍ତ୍ତର କଥା

ସ୍ୱପ୍ନର ଉତ୍ସବ ସିଏ ବାସ୍ତବର ନିରାଟ ବ୍ୟର୍ଥତା ।

 

ତା ୧୨ । ୩ । ୬୪

***

 

ପ୍ରତୀକ୍ଷମାଣ

 

ଆକାଶର ନୀଳପରେ ଆଖିର ନୀଳିମା ନେସି

ସେ ସତେ ଆସୁଚି ଆଜି

ଚଇତ୍ରର ପତ୍ରଝଡ଼ା ଧୂସର ସନ୍ଧ୍ୟାରେ

ସେ ଅବା ଗାଉଚି ଗୀତ ବସି ବସି

ମୃତ ଏକ ବନ୍ଦରର ବତୀଖୁଣ୍ଟ ତଳେ ।

 

ତା’ ହସ ଉଚ୍ଛ୍ୱାସ ମିଶେ

ସମୁଦ୍ରର ଏ ଥଣ୍ଡା ବତାସେ—

ସିଏ ବା ବାହୁଚି ପୋତ

ଦୂରେ...କେତେ ଦୂରେ...

ଖାଲି ଦିଶେ କଳାଛାଇ

ତା’ର କିଛି ପରିଚୟ ନାଇଁ ।

 

ସେ କିନ୍ତୁ ଆସୁଚି ବୋଲି

ତା’ କାହାଣୀ କହିଯାଏ

ସମୁଦ୍ର ଓ

ରାତିର ଅନ୍ଧାର ।

 

 

ବାଦ୍‍ସାର ‘କଫିନ୍’ ତଳେ

ଏଇ ଶୁଭେ ପଦ ଶବ୍ଦ ତା’ର ।

 

ସେ ଆସୁଚି ଧୀରେ ଧୀରେ

ଉଛୁଳାଇ ଫୁଲର ଫସଲ ।

ମୁଁ ଚାହୁଁଚି ଚାରି ଦିଗେ

ଏଇ ଆସି ମଧ୍ୟ ରାତ୍ରି ହେଲା

ଥରେ ତା’ର ସାକ୍ଷାତ ବି ନାଇଁ

ସିଏ ହାଏ ଆସୁନାଇଁ,

ସବୁ ଖାଲି

ମୋ ମନର ଭୁଲ୍ !!!

 

ତା ୨୦ । ୩ । ୬୪

***

 

ହରିଶ୍ଚନ୍ଦ୍ର

 

ଚାରିପାଶେ ଏଇ ମୋର କଳାରାତି, ଗଭୀର ଶୂନ୍ୟତା

ମୁଁ ଏଠି ଏକାନ୍ତ ସତ୍ୟ, ଜଗୁଆଳ ହରିଶ୍ଚନ୍ଦ୍ର ରାଜା;

କମ୍ପିତ ଆକାଶ ମୋର ଗୁଣଗ୍ରାହୀ ଦାନଶୀଳ ନାମେ

ମୁଁ ତେଜିଚି ପ୍ରିୟତମା, ଶିଶୁପୁତ୍ର, ସିଂହାସନ ଆପଣା ଖୁସିରେ ।

 

ଅକସ୍ମାତ ଆଜିକାଇଁ ମନେପଡ଼େ ତ୍ୟକ୍ତ ସ୍ମୃତି ଯେତେ

ମନେପଡ଼େ ରାଜୋଦ୍ୟାନ, ପାରିଷଦ, ରାଣୀହଂସପୁର

ରୂପବତୀ ପତ୍ନୀ ମୋର ମଥା ତୋଳେ ବିସ୍ମୃତ ମାନସେ

ମନେପଡ଼େ ଚନ୍ଦ୍ରୋଦିତ ନୀଳପଦ୍ମ ସରୋବର ଜଳ ।

 

ଦୁଇଟି ନିରୀହ ଆଖି, ଅସହାୟ ଡାକେ ଅବା ଦୂରୁ

ଥର ଥର ଭଗ୍ନଭାଷା, ମାୟାହୀନ ଶିଶୁର ଦରୋଟି ।

ରାଜାର ସଂପଦ ସୁଖ, ଅଭିମାନ ଆଜି ବା କାଇଁକି

ଅଚାନକ ମନତଳେ ଜାଗିଉଠେ, ପୁଣି ଜାଗିଉଠେ ।

 

ଆଖିର ସାମ୍ନାରେ ଜଳେ ଶ୍ମଶାନର ଧୂ ଧୂ ଚିତା

ବିକଳ କ୍ରନ୍ଦନ ଶୁଭେ ଅଶୁଭ ଓ ଭୟର ସୂଚନା

 

 

ଶ୍ୱାନ, ଶିବା ଡାକିଯାଏ, ଶୂନ୍ୟତାର ବକ୍ଷ କମ୍ପିଉଠେ

ମତେ ଆଜି ଲାଗେ ଅବା କେ’ ହସୁଚି ବିଦ୍ରୂପର ହସ ।

 

ପାରିଚି ତେଜି ମୁଁ ଯାହା ରୁଦ୍ଧକରି ମନର ନର୍ମତା

ଯାହା ମୁଁ ବରିଚି ନିଜେ ସୀମାହୀନ ସହିଷ୍ଣୁତା ନେଇ

ଯା ଲାଗି ଆଦର୍ଶ ଶିଖେ ଉଡ଼େ ମୋର ବିଜୟ ପତାକା

ଆଜି କାଇଁ ସେଇ ଆଶା, ସେଇ ସ୍ମୃତି ବାରମ୍ୱାର

ମୋହାଚ୍ଛନ୍ନ କରେ ?

 

ତା ୨୫ । ୭ । ୬୪

***

 

ଉଲୂକ

 

ହଠାତ୍ ସୂର୍ଯ୍ୟରଶ୍ମି

ମୋ କକ୍ଷର ପ୍ରବେଶ ପଥରେ ଛୁଇଁଗଲା

ନୀଳପର୍ଦା, ଶାଢ଼ୀ, ହାତ, ସଫେଦ୍ ବିଛଣା,

ମୋ ମୁଖରେ ତା’ର ସ୍ପର୍ଶ

ପୁଲକ ଓ ଅନେକ ଉଷ୍ମତା

ମନ ଆଉ

ଆଖିର ସୀମାରେ

ଚଳମାନ୍ ନଦୀର ବ୍ୟଗ୍ରତା ।

 

ସେ ଦେଲା ଉଦୟ ବାର୍ତ୍ତା

ଆଲୋକର

ଅଫୁରନ୍ତ ଆଶା;

ପାଚିଲା ପତ୍ରର ଖରା

ଆସ୍ତେ ଆସ୍ତେ

ଜମିଗଲା ‘ବୁଗେନ୍‍ଭିଲା’ ଶାଖାରେ ଶାଖାରେ

ସେତେବେଳେ ପକ୍ଷୀମାନେ

ଦଳବାନ୍ଧି

ହଠାତ୍ ରାବିଲେ

ଭୟରେ କମ୍ପିଲା ଛାତି

ମନ ମୋର

ଚେତନାରେ ତଡ଼ିତ୍ ପ୍ରବାହ

ଦ୍ୱାର, ଝର୍କା ବନ୍ଦ କଲି

ବନ୍ଦ କଲି ଦୁଇ ଆଖି ଦୁଇଟି ହାତରେ ।

 

ମୋ ପାଇଁ ଅସହ୍ୟ ହେଲା ଦିବସର

ଉଜ୍ଜ୍ୱଳ ଆଲୋକ

ଯେହେତୁ ମୁଁ ବ୍ୟାଧିଗ୍ରସ୍ତ, ଚତୁର ଉଲୂକ ।

ଅଦୂରରେ ସ୍ପଷ୍ଟ ହେଉଥିଲା

ଦିବସର

ଶୁଭ୍ର ଆଗମନୀ,

ଅନ୍ଧାରର ପ୍ରିୟାମୁହିଁ ହାଣୁଥିଲି ମୋ ଚଂଚୂରେ

ମୋ ନଖକୁ ଜାଣି ଜାଣି............ ସବୁ ଜାଣି ଜାଣି ।

 

ତା ୧୬ । ୯ । ୬୪

***

 

ଅବାଟରୁ ହଠାତ୍ ଫେରିଆସି

 

ମୁଁ ଝାଡ଼ୁଚି ମୋ ପଣତ

ମୋ ପାଦର ଗୋଇଠି ଘଷୁଚି—

ସତେ ବା ଫୁଟିନି କଣ୍ଟା

ଲାଗିନାଇଁ ଚିକ୍କଣ କାଦୁଅ,

ଚାହୁଁଚି ପଛକୁ ଫେରି

ଆଗକୁ ବି

ସନ୍ତର୍ପଣେ ଅତି

ମୁଉଁ ସେ ବାଟରେ ଯିବା ଆଉକେହି ଦେଖିତ ନାହାନ୍ତି !

 

ସେ ବାଟର ମମତାରେ, କଣ୍ଟା ଆଉ କାଦୁଅର ଶ୍ରମ...

ସେ ବାଟର କଳା ଆଖି, ଚମ୍ପା ଫୁଲ ଗାଲର ପାଲିସ୍

ସିଏ ବି ଅନେକ ଦୂର...

ଜ୍ଞାନମୋର ଦୂର ପରାହତ

କାଇଁକି ଅବାଟେ ଗଲି ଡେଇଁ ଏକ ଦୀର୍ଘ ରାଜପଥ !

 

ବୁଝାଉଚି ମୋ ମନକୁ...

ସିଏ ବା ସାମାନ୍ୟ ଭୁଲ,

 

 

ସାମୟିକ

ମନର ଆଖିର,

କ୍ଷଣିକର ଆକର୍ଷଣ

ଲୁହ ଝରା, ପ୍ରାଣ ସାନ୍ତ୍ୱନା,

ସିଏ ଏକ ସିଲ୍‍କର ହସ ତଳେ

ସବୁକିଛି ଭୁଲିବାର ନିଶା

ଦୂରାଗତ ପ୍ରାଣର ଅର୍ଚ୍ଚନା

ମୁଁ ଯେତେ ପଣତ ଧୋଇ

ପୋଛୁଚି ମୋ ଗୋଇଠିର ତଳ

ତେବେ ବି ଲିଭୁ ନି କ୍ଷତ...

ଲହୁଧାର;

ତଥାପି ଶୁଖୁନି... ।

 

ମୁଁ ଭାବୁଚି ନିର୍ଜନତା ଭିତରେ ବି

ଲକ୍ଷ ଲକ୍ଷ ଲୋକ

ପଚାରନ୍ତି ଖାଲି ପଚାରନ୍ତି

ଏଇପରା, ପ୍ରତିଭା ଶତ୍ପଥୀ

ବୁଦ୍ଧିହୀନ, ଅନ୍ଧଭଳି

 

 

କଣ୍ଟା ଆଉ କାଦୁଅର

ବାଟରେ ଯାଇଚି ?

 

ତା ୧୪ । ୧୦ । ୬୪

***

 

ସେଲିମ୍‍ର ପତ୍ର

 

‘‘ପ୍ରାଣସମା,

ଶୂନ୍ୟସମ ଲାଗେ ସିନା ତୋ ବିନା ଏ

ରାଜବାଟୀ, ଦିଲ୍ଲୀର ସୁଷମା ।

ଏଇ ନଦୀ, ଏଇ ହର୍ମ୍ମ୍ୟ, ଏଇ ବନ

ଏଇ ଉପତ୍ୟକା,

ସବୁଠିଁ ତୋ

ହସ, ଅଶ୍ରୁ ଲେଖା ।

 

ଯେବେଗୋ ଆନତ ମେଘ

ସୁଦୂରର ଗିରିଚୂଡ଼ା ଛୁଇଁ

ନୀଳଛାଇ ଘେରିଯାଏ ପଲ୍ଲବିତ

ଘନ ବନଭୂଇଁ

ଶୁଭେ ଦୂରୁ, ବହୁ ଦୂରୁ...

ବଂଶୀଗାନ ମେଷପାଳକର,

ସେବେଳେ ସଜନୀ ସତେ

କିଏ ଯେହ୍ନେ ଛପିଯାଏ ଦୂରେ

ତୋ ସମାନ ଗତି ତା’ର ଦିଶିଯାଏ—

ବସନ, ଅଞ୍ଚଳ ।

 

ସନ୍ଧ୍ୟା ଯେବେ ଆସେ ନଇଁ, ଯମୁନାର

ଜଳବେଣୀ ପରେ

ଛନ୍ଦେ ତା’ର ଛୁଟଇ ସଙ୍ଗୀତ

ଅଜଣା ରାଗିଣୀ ଶୁଭେ, ଶ୍ରୁତି ମୋର

ହୁଏ ପୁଲକିତ

ସତେ ଅବା ତୋ କଣ୍ଠର ଗୀତ !

 

ଯେବେଳେ ମୁଁ ଚାହିଁ ରହେ

ସେ କୁସୁମ ମଣ୍ଡପର ତଳେ

‘ତାନସେନ୍’ ଗାନର ଛନ୍ଦ ଭରିଥାଏ

ଆକାଶ ଧରଣୀ

ଦୂର ଦିଗ୍‍ବଳୟ କୋଳେ

ଜହ୍ନଟା ବି

ଫିକା ହୋଇ ଆସେ,

ହେଲେ ତୁ ତ ଆସୁନାଇଁ ଚାଲିଚାଲି

ନୂପୁର ସିଂଜିଣୀ ।

 

ଆଫରୋଜା, ସତ କହ—

ଶେର୍ ଆଫଗାନ୍‍ର ସେ ଅଟ୍ଟାଳିକା

ତୋତେ କ’ଣ ବିବ୍ରତ କରେନି ?

ସ୍ୱପ୍ନୋତ୍‍ଥିତ ଆଲୁଳିତ ମନ

ସେଲିମର ସୋହାଗ ମାଗେନି ?

 

ଅବା ତୋ ପତିର କୋଳେ ନିଦ୍ରାରତା

ମନେ ତୋର କିଛି ହେଲେ ପ୍ରବେଶ କରେନି ?

ଗତ ରାତି ଦ୍ୱିତୀୟ ଯାମରେ

‘ସାହାଜାଦୀ’ କହୁଥିଲା...

ଦାବୀ କରୁଥିଲା ତାର ପତିଠାରୁ ଅଶେଷ ଆଶ୍ଳେଷ ।

 

ମୁଁ କ’ଣ ପାରନ୍ତି କହି

ଦେହ, ମନ, ଅନ୍ତର ବା ଯଦି କିଛି

ମଣିଷର ଥାଏ,

ସବୁ ମୋର କେତେ ଦୂରେ

ପାଶେ ତୋର

ସତେ ବନ୍ଧା ରହେ ।

 

ତୋ ସ୍ମୃତିରେ ରୋପିତ ସେ

ଗୋଲାପ ଚାରାରେ—

 

 

ବସନ୍ତର ଉତ୍ସବ ଆସିଚି,

ସେ ଲାଗି ମୁଁ ଲୋତକେ ଭାସିଚି ।

 

ଉନ୍ନିସା, ରାଣୀ ମୋର,

ତୋ ଲାଗି ବିତାଏ କେତେ ବିନିଦ୍ର ରଜନୀ

ସେଲିମ୍‍ର ସୋହାଗ ତୁ ସତେ କ’ଣ

ଭୁଲିଲୁ ସଜନୀ ?

 

ଗତ ଦିନାନ୍ତରେ

ଦରବାରେ ବିରାଟ ଉତ୍ସବ

ମୁଁ ଦେଖିଲି, ଆଫଗାନ୍‍ର ଦୀପ୍ତ ମୁଖ

ସମ୍ମୁଜ୍ଜଳ ଆଖି,

ଦୀର୍ଘଶ୍ୱାସ ବକ୍ଷ ଥରାଇଲା ।

 

ସତେ ସେ କି ଦୁଃଖ ଅନୁଭବ !

ମୁଁ ଝୁରୁଚି ଅହରହ

ଥରଟିଏ ଦର୍ଶନ ତୋହର

ଯୁଗ ଯୁଗ ଅଶାନ୍ତ ହୃଦୟ – ବ୍ୟଥା

ଅବା ପ୍ରଶମିବ ।

 

 

 

ଦିନ ଥିଲା,

ପ୍ରତୀକ୍ଷାରେ ବିତୁଥିଲା

ଦିନ, ମାସ ବରଷ ବରଷ

ଏବେ କ’ଣ ଗୋଟିଏ ମୁହୂର୍ତ୍ତ

ମୋ’ ପାଇଁ

ବିତାଇବୁ ନାଇଁ ।’’

 

ମିହିର ଉନ୍ନିସା ବୁକୁ ଆତଙ୍କରେ

ଶିହରି ଉଠିଚି,

ସତେ ଅବା ଅବାଂଛିତ, ଅଲୋଡ଼ା କେ

ପୀରତି ମାଗିଚି—

ସେ ଥରିଲା ଥର ଥର

ଝଡ଼ ପରେ ବିକ୍ଷିପ୍ତ ଧରଣୀ

ଓଦା ଓଦା ବେଦନାରେ ସିକ୍ତତାର ଯୁଗ୍ମ ନୀଳବେଣୀ

‘‘ସୁଲତାନା, ଏଇ ପତ୍ର ନେଇ

ନୀଳପଦ୍ମ-ସରୋବର ଗଭୀର ବକ୍ଷରେ

ଫିଙ୍ଗି ଦେ’ ସହଳ

ମୋ ମନରେ ଏ କି କୋଳାହଳ ?’’

 

ସୁଲତାନା, ପତ୍ର ବାହିକା ସେ

ସେଲିମ୍‍ର ବିଶ୍ୱାସଭାଜନ,

ମୁକ ହୁଏ ତା’ କଣ୍ଠର ଭାଷା

ସ୍ତିମିତ ତା’ ଯୁଗଳ ନୟନ ।

 

ସେ କହିଲା—‘‘ସୁନ୍ଦରୀ ଛଇଳା,

ଜାଣୁ ଏ କାହାର ପତ୍ର

ଜାଣୁ କି ଗୋ କା’ ପ୍ରୀତିର ଲିପି—

ଆକବରର ଅଗ୍ରଜ ତନୟ

ତୋର କ’ଣ ନାଇଁ ତିଳେ ଭୟ ?

 

ତୁ କ’ଣ ଜାଣି ନାହୁଁ

ସେଲିମ୍‍ର ଅସୀମ ପ୍ରତାପ

ଭବିଷ୍ୟତ ଦିଲ୍ଲୀ ଅଧୀଶ୍ୱର

ସେ ମାଗିଚି ସାମାନ୍ୟ ସମ୍ମତି ତୋ’ର

ଏଇ ମାତ୍ର ପଦିଏ ଉତ୍ତର !’’

 

‘‘ସାହାଜାଦା,

ସୁଖୀ ହୁଅ ଖୋଦାର ଆଶିଷ;

ଏତିକି ମୋ ଆଶା ।

ଭୁଲିଯାଅ ପ୍ରିୟତମ ଶ୍ରାବଣ ରାତିର ସେ କାହାଣୀ,

ଆଜିର ବଇଶାଖୀ-

ଝାଞ୍ଜି ଡାକି ଡାକି

କାଇଁ ଯେ କେତେ ଦୂରେ ଗଲାଣି ।

 

କହିବ ଯମୁନାର ସ୍ନିଗ୍ଧ ସଲିଳରେ

ଜୀବନେ ନାଇଁ ଆଉ ଭେଟିବା ଆଶା ଥରେ

ନାଚୁ ତା’ ଜଳ ବେଣୀ

ରୂପସୀ ବନ ଏଣି

ଅନ୍ଧ ସମାନ ମୁଁ ବ୍ୟସ୍ତ ବିକଳରେ ।

 

ପ୍ରୀତିର ଚନ୍ଦ୍ର ମୋ ଅସ୍ତାଚଳେ ଲୁଚି

ଲେଖିଚି ମୋ ଜୀବନେ ଅଶୁଭ ଶେଷସୂଚୀ

ଥରଟେ ଦରଶନ

ଲଞ୍ଜା ତାରା ସମ

ଲୋଡ଼ା ବି ନାଇଁ ମୋର ଜୀବନ ଆକାଶରେ

ସେ ଲାଗି ସିନା ଖାଲି ବୁଡ଼ିବି ବିଷାଦରେ ।

 

ସାହାଜାଦା,

ତୁମ ପୁରେ କେତେ ସମାରୋହ

କେତେ ପ୍ରୀତି, ଆନନ୍ଦର ଉଛୁଳା ସମ୍ମୋହ,

ମୁଁ ଏକ ଭୃତ୍ୟର ପତ୍ନୀ,

ଅକିଞ୍ଚନ ଦିଲ୍ଲୀ ଦରବାରେ

ମୋ ଲାଗି ସମ୍ରାଟ ! ତୁମ ନୟନରେ

ଅଶ୍ରୁ ଜାଗି ପାରେ ?

 

ତବ ସନ୍ତୋଷ ଲାଗି

କେତେ ରୂପବତୀ, ରାଜାର ତନୟା

ଥିବେ ଗୋ ରାତ୍ରି ଜାଗି,

ନର୍ତ୍ତକୀ ମୁହିଁ ଛାର

ମୋରେ ନେଇ କ’ଣ ମଣ୍ଡିତ ହୁଏ ଦିଲ୍ଲୀର ଦରବାର ?’’

 

‘‘ସୁଲତାନା, ପାର କି ଗୋ କହି

କା’ ଅନ୍ତର ଅନୁରାଗ ବକ୍ଷ ମୋର

ଛୁଏଁ ରହି ରହି ?

କହିବ ତା’ ତୁଲେ

ଏଇ ମୋ ଜୀବନ ପାଇଁ

ମୁଁ ତାହାରେ ନ ଭୁଲିବି ବାରେ ।

 

 

 

କହିବ ସେ ରାଜାର ତନୟେ

ବଧୂ ମୁଁ, ପତ୍ନୀ ମୁଁ, ଭବିଷ୍ୟ-ଜନନୀ

ମୁଁ ନୁହେଁ ସେ ଦୂର ଅତୀତର

ରୂପସୀ ନର୍ତ୍ତକୀ ଅବା

ସେଲିମ୍‍ର ପ୍ରୀତି ସୋହାଗିନୀ ।’’

 

ବିବ୍ରତ, ଚକିତ ବାଳା ସୁଲତାନା

ସେ ଚାଲିଲା ଦିଲ୍ଲୀ ଅଭିମୁଖେ,

କ୍ଷୁଦ୍ର ଏକ ପତ୍ର ଧରି ଅଧୀର ଉତ୍ସୁକେ ।

 

ଭୁଲ୍ ଭୁଲ୍

ଭୁଲ... ଭୁଲ

ତୁ ଯଦି କହିଲୁ ଅନ୍ତରତମା

ଏଇ ତୋ ପୀରତି ମୂଲ ।

 

ଅତୀତର ହସ କାନ୍ଦ

ଅତୀତର ସ୍ୱପ୍ନ ଅସୁମାର

ସତେ ସବୁ ଭୁଲିଗଲୁ,

ସ୍ୱୀକାର କଲୁନି

ଜୀବନର ମଧୁ ଅଂଶହର ?

ଦିଲ୍ଲୀର ବାଦଶା’

ପ୍ରାଣପାତି ମାଗିଥିଲା ଅତୀତର ଭସ୍ମତଳୁ

ଟିକେ ପ୍ରେମ, ପ୍ରୀତିର ବାରତା ।

 

ଜାଣିଥା ଉନ୍ନିସା—

ନିଭିଯିବ ତୋ’ ମନରୁ

ପତ୍ନୀ ଗର୍ବ, ଜନନୀର ଈର୍ଷା

ସେଲିମ୍‍ର ଅଭିଷେକ କାଳେ

ତୁ ମଣ୍ଡିବୁ

ରାଣୀହଂସପୁର,

ଆଜି ପ୍ରାତେ ଏଇ ମୋ ଶପଥ,

ଏଇମାତ୍ର ଆକାଂକ୍ଷା ମୋହର ।’’

 

ସେଲିମ୍ ଦୂରେ ଚାହୁଁଥିଲା

ନୀଳ ନୀଳ ଆକାଶ ଆଲୋକ

କ୍ଲାନ୍ତ ତା’ର ନୟନର ତୀରେ

ଜମୁଥିଲା

ଚୂନା ଚୂନା ମେଘ ।

 

 

 

ତା ୧୮ । ୧୦ । ୬୪

ସେଲିମ – ଜାହାଙ୍ଗୀର,

ମିହିର ଉନ୍ନିସା ପରେ ନୁରଜାହାନ

***

 

ପ୍ରେତ

 

ଫାଲଗୁନର ଜ୍ୟୋତ୍ସ୍ନା ତଳେ

ଅକସ୍ମାତ

ଛାଇ ତାର ପହଁରି ପହଁରି

ଛୁଇଁଗଲ ମୋ ଝର୍କାର ଖୋଲା ପଥେ

ଆଉ ବି ଚାହିଁଲା

ଖୋଜିବାକୁ ଅନେକ ହଜିଲା

ସାମ୍ନାରେ ରଜତ ରାତ୍ରି, ନିର୍ଜନତା

ଦେବଦାରୁ, ଗହଳ ତମାଳ—

ଅବା—

ଗଦାଗଦା ନିରନ୍ଧ୍ର ଅନ୍ଧାର

ସେ ଚାହିଁଲା ଆଖିତାର

ସତେ ଅବା ତୃଷାର୍ତ୍ତ, ଅଧୀର ।

ଶୋଷିନେବ ଯାହା କିଛି ମୋ ଦେହର

କୋମଳ ଉଷ୍ମତା—

ଜୀବନର, ଯୌବନର କଥା ।

ତା’ ନିଜସ୍ୱ ଏ ଘରର

ତା’ ସାଇତା ସମସ୍ତ ସମ୍ପଦ—

ଅନିଚ୍ଛାରେ ତ୍ୟକ୍ତ, ତେଣୁ

ସିଏ ଚାହେଁ

ସେ ସବୁକୁ ବୁକୁରେ ଜଡ଼ାଇ

ଧୂସର ଧୂଳିରେ ହସି ଲୋଟିଯିବ—

ଖାଲି ଲୋଟିଯିବ ।

ଭୟରେ ହେଲି ମୁଁ ଜଡ଼,

ମୋ ସାମ୍ନାରେ ଅନ୍ଧାର...ଅନ୍ଧାର ।

(କିଛିଟା ସ୍ତବ୍ଧତା ଆଉ ନିଶ୍ଚଳତା)

ମୁଁ ନିଜେ ନିଜକୁ ଖୁବ୍ ଝାଡ଼ି ଝୁଡ଼ି

ରୁଦ୍ଧ କଲି ଛିଦ୍ର ସବୁ

ମୋ କକ୍ଷର ମର୍ମର ଶିଳାରେ...

ମୁଁ ଚାହିଁଲି ଗାଇଯିବି

ଫୁଲ ଗୀତ

ଫାଲ୍‍ଗୁନର ଗୀତ

ହଠାତ୍ ସେଇ ନିଃସଙ୍ଗ ବେଳାରେ ।

ମୋ ପ୍ରାଚୀର ତଳେ ଥାଇ

ସିଏ କିନ୍ତୁ

ଆର୍ତ୍ତନାଦ କଲା,

*ନିଙ୍ଗୁଲୀର କାରୁଣ୍ୟରେ

ଭରା ତାର କଣ୍ଠ ଥର ଥର

ସତେ ବା ସେ ସୀମାହୀନ

ଅତୃପ୍ତିର ଉଦ୍ଧତ ଘୋଷଣା...

ସୁନ୍ଦର ଜୀବନ ଆଉ ଭୀମ ମୃତ୍ୟୁ

ସୀମାରେ ସୀମାରେ

ସେତିକି ପରମ ସତ୍ୟ...

ମାୟା, ମୋହ ଆଉ କିଛି

ବିମୁଗ୍ଧ କାମନା ।

 

ତା ୩୦ । ୪ । ୬୫

*କନ୍ଧମାନଙ୍କ ଦ୍ୱାରା ପ୍ରଥମ ବଳି ଦିଆଯାଇଥିବା ସୁନ୍ଦରୀ ଯୁବତୀର ନାମ ।

***

 

ଶକୁନି

 

ପାଚିଲା ପତ୍ରର ଖରା

ଡେଇଁ ଡେଇଁ

ଲୁଚିଗଲା ନେସିଦେଇ ପାଳଧୁଆ ଫୁଲର ରଂଗକୁ—

ଆମେ ସବୁ ହସୁଥିଲୁ ଅସଂଯତ, ଅଣାୟତ ହୋଇ

ସମୁଦ୍ରର ବେଳାପରେ ମଥାପିଟେ ଯଥା ନୀଳ ଢେଉ ।

 

ସେ ଆସିଲା ଭୀତତ୍ରସ୍ତ

ନୁଖୁରା ମୁହଁରେ ତାର

ପରାଜିତ ସୈନିକର କିଛି କ୍ଲାଂତି

ବିପର୍ଯ୍ୟସ୍ତ ସ୍ୱପ୍ନ,

ଏପ୍ରିଲର ଖରାରେ ବିବର୍ଣ୍ଣ !

 

ଏଇ ମାତ୍ର ସେ ଆସିଚି—

ମୁକ୍ତି ଲଭି ଶିଳାର କାରାରୁ

ସେ ଦେଖିଚି ତା’ ଆଖିରେ ଅନେଶ୍ୱତ ଭାଇ ଆଉ ପିତାର ମରଣ

ତୃଷ୍ଣାର୍ତ୍ତ ଓଠର ତଳେ ଝରୁଥିବା ରକ୍ତ ଦାଗ,

ସେ ଶୁଣିଚି କଂକାଳର ଶୁଷ୍କ-ଛାତି-କାତର-କ୍ରନ୍ଦନ ।

 

ସେ ଯେମିତି ଅତି କ୍ଷୁବ୍ଧ, ଅସହାୟ

ତା’ ଛାତିର ଦୀର୍ଘ ଶ୍ୱାସ କହେ—

ଚୂନା ଚୂନା ହସ ତା’ର

କଳା ଓଠ, ଓଦା ବାଲି ରଙ୍ଗର ଗାଲରେ—

ବତାସ ଉଠାଏ ।

 

ଆମେ ସବୁ ଦୁର୍ଯ୍ୟୋଧନ ଆଉ ତାର

ସହଚର ଯେତେ

ମୁଗ୍ଧ ହେଲୁ ସେ ହସରେ

ସତେ ଅବା ମାୟା,

ସେ ହସର ତଳେ ତଳେ

ଜଳୁଥିଲା ଶକୁନିର ପ୍ରତିଶୋଧ ନିଆଁ ।

 

ଆମେ ସବୁ ମୁଗ୍ଧ ହେଲୁ ଯେହେତୁ ଏ—

ବିଭ୍ରାନ୍ତ ମନର ଭୁଲ, ଦୁର୍ବଳତା

ମାନଗୋବିନ୍ଦର

ଆପଣା ମାତୁଳେ ମାରି

ନିଜେ ସିଏ

ଅନୁତାପ ଜ୍ୱାଳାରେ କାତର ।

 

ତେଣୁ ସେ ଭୁଲିଲା ସେଠି

ଶକୁନିର ମିଛ ପ୍ରୀତି, ଅନାତ୍ମୀୟତାରେ

ତା’ର ପ୍ରତି ଶବ୍ଦ ତଟେ ଫୁଟୁଥିଲା ଲକ୍ଷ ପଦ୍ମ

ପ୍ରତିଟି ଉଷାରେ ।

 

ସେ ଆସିଲା ପରେ ଏଥି ଭସ୍ମକଲା

ଅନ୍ତଃପୁର ଶୂନ୍ୟକଲା ହସିବାର ସମସ୍ତ ଆଗ୍ରହ

ସେ କରିବ ଅବା ଏଥି ଶ୍ମଶାନ ସର୍ଜନା...

ଯେଣୁ ସେ ନିଜର ଭୁଲ, ଦୁର୍ବଳତା,

ମଣିଷର ଏକାନ୍ତ ଛଳନା ।

 

ତା ୬ । ୫ । ୬୫

***

 

କେତକୀ କଳିର କଥା

 

ଯଦିଓ ମୁଁ ମଧୁଗନ୍ଧା

ତନୁର ସ୍ନିଗ୍ଧତା ପରେ ବୋଳିହୋଇ

ପାଣିଚିଆ ହଳଦୀ ରଙ୍ଗକୁ...

ପ୍ରତ୍ୟେକ ଉଷାରେ କାନ୍ଦି ସିକ୍ତକରେ...

ମୋ ବକ୍ଷର ଅନେକ ପରାଗ

ଶୁଷ୍କ ମୋର ଅଜସ୍ର ସରାଗ ।

ଚାରିସୀମା ଘେରି ମୋର କଣ୍ଟକର ସ୍ପେଦସ୍ନାତ ଶ୍ରମ

ଏ ପଥର ପାନ୍ଥଗଣ ! ଆଗୋ ମୋର ଅତି ପ୍ରିୟତମ !

 

କେବେ ବି କାହାର ଆଖି ଛୁଇଁନି ମୋ

ତନୁର ତନିମା

ଥରି ଥରି ଅନ୍ତରାଳେ ମୁଁ ଝରିଚି

ଆତ୍ମଗ୍ଲାନି, ନିରାଶାରେ ଡହଳ ବିକଳ

ନୁହେଁ ମୁଁ ନିଜସ୍ୱ କା’ର, ଆମୋଦିତ ମୋ ଲାଗି ସକଳ ।

 

ଆଗୋ ମୋର ସହଚର ଭୟଙ୍କର ଭୁଜଙ୍ଗମଗଣ—

କଳା ଓ ସୁନେଲି ଛକ, ହଠାତ୍ ଯହିଁ ମଣିଷ ପାଶୋରେ...

ବଞ୍ଚିବାର ଆଗ୍ରହ ବା ବିପୁଳ ଐଶ୍ୱର୍ଯ୍ୟ

ଅବା ଆଉ କିଛି ଅନେକ ଅନେକ,

ତୁମେ ମୋର ଅତି ଆପଣାର

ମତେ ଦଂଶି ଟିକି ଟିକି କର ।

 

ମୋ କୋମଳ ବକ୍ଷ ପରେ

ଅନେକ ପରାଗ ବିଞ୍ଚି

ଆକି ମୁଦେ କ୍ଲାନ୍ତ ହୋଇ ସବୁ ଗୋଧୂଳିରେ

ତନ୍ଦ୍ରାତୁର ପ୍ରାଣ ମୋର ହତାଶାର ଦୀର୍ଘଶ୍ୱାସ ତୋଳେ

ଶ୍ରାବଣର ମଧ୍ୟ ରାତ୍ରି

ଚନ୍ଦ୍ର ଲୁଚେ ଆକାଶର ତଳେ ।

 

କଣ୍ଟାର ପ୍ରାଚୀର ଡେଇଁ ମୁକ୍ତି ମୋର ଅସମ୍ଭବ

କଳ୍ପନାର ସୀମାର ବାହାରେ

ପ୍ରତ୍ୟେକ ଉଷାରେ ତେଣୁ କାନ୍ଦି ମୁହିଁ

ତନୁ ସିକ୍ତ କରେ ।

 

ଶ୍ରାବଣ ଆକାଶ ତଳେ

ବାରମ୍ୱାର

ମୋ ତନୁର ରୋମାଞ୍ଚ ନିବିଡ଼

କ୍ରମେ କ୍ରମେ ମରିଆସେ

ତ୍ରସ୍ତ ମୁଁ ଲୁଚାଏ ମୁହଁ,

ଅବାଞ୍ଛିତ ଯେମିତି ମୁଁ ସୃଜନର ତୀବ୍ର ବ୍ୟତିକ୍ରମ

ଯଦିଓ ମୁଁ ମଧୁଗନ୍ଧା, ଆଗୋମୋର ପାନ୍ଥ ପ୍ରିୟତମ !

 

ମୋ ଲାଗି ସକଳେ ମୁଗ୍ଧ ଜାଣି ଜାଣି

ମୁଁ ବି ଭୁଲିଯାଏ—

ସବୁଜ କଣ୍ଟାର କ୍ଷତ, ଆବଦ୍ଧ ମୋ ଆତ୍ମାର କ୍ରନ୍ଦନ

ଯେହେତୁ ମୁଁ ମଧୁଗନ୍ଧା,

ଆଗୋ ମୋର ପାନ୍ଥ ପ୍ରିୟତମ !

 

ତା ୨୨ । ୬ । ୬୫

***

 

ଅରୂପ

 

ଶ୍ରାବଣୀ ରାତ୍ରିର କଳା ଅନ୍ଧକାର ଦୁଇଭାଗ କରି

ଚାରିପାଶେ ମୋର ଆସି ଯେତେ ମୋର ମାନସ କଳ୍ପନା

ଯେବେ ଗୋ ପାଆନ୍ତ ରୂପ, ମୂର୍ତ୍ତିମନ୍ତ

ମୁଁ ନିଭାନ୍ତି ଅସଂଖ୍ୟ ଆଲୋକ,

ମୋ କକ୍ଷର ରତ୍ନଦୀପ, ଅଗଣାର ମଶାଲ ଅବା

ଉଦ୍ଭାସିତ ଇଲେକ୍ଟ୍ରିକ୍ ଛକ ।

 

ନିକଟ ପାର୍କରେ କେତେ ‘ରେନି ଫ୍ଲାଉଆର’

ଆର ପଟ ମାଳତୀ ବନରେ

ଅନେକ ଝଡ଼ନ୍ତା ଫୁଲ, କଢ଼ କେତେ

ଖୋଲନ୍ତା ବା ଆଖି...

ସବୁଜ ସ୍କ୍ରିନ୍ର ତଳୁ, ସତେ ଅବା ଲାଜକୁଳୀ ଝିଅ

ସାମ୍ନା ରାସ୍ତାକୁ ଚାହିଁ ହସ ଆଉ ବିସ୍ମୟେ ବିଭୋର

ସ୍ନିଗ୍ଧ ଛଳଛଳ

ପୁଲକିତ ପ୍ରୀତିରେ ସଜଳ ।

 

ଝଡ଼ର ସୁରାକ୍ ପାଇ ଗଛମାନେ

ଯେତେବେଳେ ଅସ୍ତବ୍ୟସ୍ତ, ଯେତିକିବେଳେ ମୁଁ

ଭୁଲନ୍ତି ଏ ଦୁନିଆଁର ସବୁ କିଛି

ଆତ୍ମୀୟତା ମନରଖା, ଲୋକଦେଖା, ଶିଷ୍ଟାଚାର

ନୀତି ଓ ନିୟମ,...

ଗୋଟିଏ ମୁହୂର୍ତ୍ତ ହେଉ; ଆନନ୍ଦର, ପୁଲକର ହେଉ...

ସେ ଏକ ମୁହୂର୍ତ୍ତ ପାଇଁ ଭୁଲିଯା’ନ୍ତି

ସମଗ୍ର ଜୀବନ ।

 

ତା’ପରେ ସବୁ ବରଂ ଶୂନ୍ୟ ହେଲେ

ଜାଳନ୍ତି ଆଲୋକ,

ଏମିତି ନିଃସଙ୍ଗ ବେଶ୍ ଶୋଇ ଶୋଇ

ଦଗ୍ଧ ହୋଇ ଯାତନାର ଶିଖାରେ ଶିଖାରେ...

ଗାଆନ୍ତି ବର୍ଷାର ଗୀତ—

‘‘ଭଲ ହେଲା, ଭଲ ହେଲା

ଶ୍ରାବଣର ବର୍ଷା ଝରିଗଲା ।’’

 

ତା ୮ । ୭ । ୬୫

***

 

ଅସ୍ତ ଜହ୍ନର କଫିନ୍

 

ଏଇ ଯେ ଉଠନ୍ତ ଜହ୍ନ

ନାଲି ମାରବେଲର,

କାଚକେନ୍ଦୁ ପୋଖରୀର ନୈଋତ କୋଣରେ

ନିରେଖେ ତା’ରୂପ ।

 

ଯେମିତି ଷୋଡ଼ଶୀ ଏକ—

ଲାଜକୁଳୀ, ନବପରିଣୀତା,

ଏକାନ୍ତରେ

ନିଜର ରୂପକୁ ଦେଖେ ଦର୍ପଣ ସାମ୍ନାରେ—

କବରୀ କେତକୀ କଢ଼ି,

ମଥାର ସିନ୍ଦୂର,

କଣ୍ଠଲଗ୍ନ ମାଣିକ୍ୟର ହାର ।

 

ଜହ୍ନ ବି ବିଭୋର ହୁଏ

ସତେ ବା ସେ ମୁଗ୍ଧା ଏକ

ମଜ୍‍ଦୁର-ଝିଅ,

ଗତ ମଧ୍ୟାହ୍ନରେ ଯିଏ ଏ ପାଣିରେ—

ନିରେଖି ନିଜର ଛାଇ,

ଓଦାବାଲି ରଙ୍ଗର କପାଳୁ ତା’ର

ପୋଛୁଥିଲା ଏପ୍ରିଲର ଝାଳ

ପୁଲକିତ, ପ୍ରୀତିରେ ସଜଳ ।

 

କେତେଗୋଟି ଘଣ୍ଟାପରେ ବୃଦ୍ଧହେବ

ଆଜିର ଏ ରାତି,

ଆରପଟ ବନ୍ଧତଳେ—

ଜହ୍ନ ବି ଡୁବିବ ନିଜେ

‘ଆର୍ସେନସିକ୍’ ଗନ୍ଧପାଇ ମୂର୍ଚ୍ଛାହତ ରୋଗୀଟିଏ ପରି

ନିଷ୍‍ପ୍ରଭ ତା’ତନୁଶ୍ରୀ

ଲୁଚାଇ...

ଯଦିଓ କାନ୍ଦିବେ ଏଇ ଉଦ୍ୟାନ ଓ

ସମଗ୍ର ବନର

ଅଜସ୍ର ଫୁଟନ୍ତି ଫୁଲ,

ତଂଦ୍ରାତୁର ଅସଂଖ୍ୟ ଚକୋର ।

 

ନିଶାଂତର ଅଂଧକାର...

ତା’ପରେ ଆସିବ,

ଅବା—

ଡାଳିମ୍ୱ ଫୁଲର ଖରା ଛୁଇଁଯିବ

ତାଳ ଆଉ ତମାଳ ବନରେ

ଏବଂ ମୃତଜହ୍ନ କଫିନର ତଳେ ।

 

ଆମେ ବି ନିସ୍ତେଜ ହେବା ଏ ଜହ୍ନରେ ଡାକି

ଆଜିର ଯୌବନ ସିଏ

ସରିଯିବ ରୂପ ତା’ର

ଦେଖି ଦେଖି

ଆହା ଦେଖି ଦେଖି ।

 

ତା ୯ । ୯ । ୬୫

***

 

ମୁମୂର୍ଷୁର କୋତୋଟି ମୁହୂର୍ତ୍ତ

 

ଏ ପାଖେ ସେକେଂଡ଼ ୱାର୍ଡ଼

ଆରପାଖେ ଶାଗୁଆ ରଂଗର

ଟୋପି ପିଂଧି...

ଛୋଟ ଛୋଟ ଅସଂଖ୍ୟ ପାହାଡ଼,

ସାମ୍ନା ଝର୍କାର ସେଇ ନୀଳକାଚେ

ନେସି ହୁଏ

ସୁନାରି ଫୁଲର ଖରା...

ଦେହେ ଦେହେ ତାହାରି ଉଷ୍ମତା,

ଲଟା କଣିଅର କୁଂଜେ

ଥିରି ଥିରି ପବନର ରାସ,

ଯେମିତି ଅବୋଧ ଶିଶୁ,

ମାଆ କୋଳେ ଲୋଟେ ତା’ର ଚୂନାଚୂନା ହସର ବତାସ ।

 

ଯନ୍ତ୍ରଣା କାତର ଆଖି ଥରେ ଖୋଲି

ଶୁଷ୍କ ଓଠ ପୁନଶ୍ଚ ଭିଜାଇ

କ୍ଷଣେମାତ୍ର ଦେଖିନିଏ ପ୍ରିୟର ଆକୁଳ ଅଶ୍ରୁ,

ଆତ୍ମୀୟର ଅତୁଟ ଆଗ୍ରହ,

ଆଉଥରେ ଚାହିଁଯାଏ ସୁନ୍ଦର ଏ ପୃଥିବୀର,

ଆକାଶର ସୁସଜ୍ଜିତ ନଗରୀର ଛବି—

ଦେଖିଯାଏ ନିକଟ ପାର୍କର ସେଇ

ନୃତ୍ୟରତା ହସଂତ କରବୀ ।

 

କେତୋଟି ମୁହୂର୍ତ୍ତ ପରେ ଶୂନ୍ୟହେବ ଜୀବନ ସରଣୀ...

ଅଂଧାରେ ବୁଡ଼ିବ ହାୟ

ଭବିଷ୍ୟତ, ବର୍ତ୍ତମାନ, ଅତୀତର ସମସ୍ତ ସମ୍ମୋହ,

ନ ଥିବ ଆଖିରେ କିଛି

ଜୀବଂତ ଓ ଫୁଟଂତର ମୋହ ।

 

ଅଦୂର ପଥର ମୁହିଁ ଏକଦା ପଥିକ

ଯେଉଁଠି ପଦ୍ମର ଗଂଧ

ଏବଂ କିଛି ଅଜଣା ଫୁଲର—

ରୁଦ୍ଧ କରେ ପୁଲକ ମନକୁ,

ମୁଗ୍ଧ ମୁଉଁ ଝୁରିଲେ ବି

କେତୋଟି ମୁହୂର୍ତ୍ତ ପରେ ଆଉ କ’ଣ

ଦେଖିବି...ଦେଖିବି ?

ଦିଗଘେରା ଗହମର କ୍ଷେତ...

ମଝିରେ ମଝିରେ ତା’ର ସୋରିଷର ହଳଦିଆ ସ୍ରୋତ ।

 

ସମସ୍ତ ଲୁଚିବ ସେଇ ଧୂସର ଛାଇରେ ହାୟ

ଥରେ ଆଉ ଦେଖିନିଅ

ପ୍ରିୟ ମୋର, ଆପଣାର

ଯେତେ ସବୁ ବଂଧନ ମୋ

ଦେହ ଆଉ ମନର ଡେଣାର ।

 

ତା ୧୯ । ୧୧ । ୬୫

***

 

Unknown

ଖେଳଘର

 

ପ୍ରତ୍ୟେକ ସଜଳ ଉଷା

ତାଙ୍କ ହସ, ଆତ୍ମୀୟତା ଏବଂ ତାଙ୍କ

ଘରକରଣାରେ ସିକ୍ତ ହୁଏ

ବିଭକ୍ତ ବି ହୁଏ ।

 

କଣିଅଁର କଢ଼ିହାର

କଣ୍ଟାଫୁଲେ ନୋଥ, ଫୁଲଗୁଣା

ଏବଂ କାହା ଅପା କାହା ଭାଉଜର

ଚିରାଛିଟ ପଣତରେ ପାଟଶାଢ଼ୀ କରି

ସେମାନେ ଖେଳନ୍ତି ନିତି

ପୁଅ ଆଉ ବୋହୂ ସାଜି

ଗୋହିରୀରେ ବାଲିଘର ତୋଳି ।

 

ଆମେ ଯେତେ ପରାହତ

ସଂଗ୍ରାମୀ ପୁରୁଷ, ନାରୀ

କ୍ଲାନ୍ତ ହେଉ ନିତି ନିତି

କାହିଁକିନା ଆମ ଘର ସଂସାର ଜଞ୍ଜାଳ

ଆମ ପାଇଁ

ବେକରେ ପଥର ବାନ୍ଧି ବୁଡ଼ିବାର ଅସହ୍ୟ ଯନ୍ତ୍ରଣା

ବଞ୍ଚିବାର ସମଗ୍ର ଦିବସ—

ଓ ସମଗ୍ର କଳ୍ପନାର ଉତ୍ତୁଙ୍ଗ ପାହାଚ—

ଘେରି, ଦିଏ ଅଶେଷ ଯନ୍ତ୍ରଣା,

ପ୍ରତିଟି ଉଷାରେ କିନ୍ତୁ ନୂତନ ଆଗ୍ରହେ ମାତି

ସେଇମାନେ ଖେଳନ୍ତି...ଖେଳନ୍ତି

ଶିଶିର ବିନ୍ଦୁଟେ ପରି.....

ଛଳ ଛଳ ପ୍ରଭାତ ସମ୍ଭାରେ ଆହା

ଦ୍ୱିପ୍ରହର ରଶ୍ମିରେ ଜଳନ୍ତି ।

 

ତା ୨୯ । ୧୨। ୬୫

***

 

ଶତାବ୍ଦୀ-ପୁରୁଷ

 

ଏଇ ହେବ ଦଶଟା ପନ୍ଦର

ଷ୍ଟେସନରେ ଲାଗିଗଲା ଗାଡ଼ି

ତା’ପରେ ବ୍ୟସ୍ତତା ଯେତେ କୋଳାହଳ

ଦଉଡ଼ା ଦଉଡ଼ି ।

 

‘ସମାଜ’ ବା ‘ନିଆଁ ଖୁଣ୍ଟା’, ସିନେମା ମାସିକ

ଏବଂ କିଛି ଗରମ ଚା’, ପେଡ଼ାର ଗନ୍ଧରେ

ଖୋଲିଲା ଭୋକର ଓଠ, ଜମିଗଲା ଅନେକ ବନ୍ଧୁତା

ହଠାତ୍ ଏ ଯେ ସୁଯୋଗ୍ୟ ଚୌଧୂରୀ

ନମସ୍କାର,

ଭଲ ହେଲା, ଦେଖା ହେଲା...

ବର୍ତ୍ତମାନ କେଉଁଠାରେ,

କାମ କ’ଣ ? ବସ, ବସ, ଆରେ... ।

 

ସାଦାଫର୍ଦ୍ଦେ କାଗଜର ଶେଥା ମୁହଁ ତା’ର

କେଶଗୁଚ୍ଛ ବିପର୍ଯ୍ୟସ୍ତ, ଯେମିତି କି ନିର୍ଘାତ ଝଡ଼ରେ—

ଅରଣ୍ୟର ଗଛଗୁଡ଼ା । ସେ କହିଲା

ତା’ର କିଛି ଲକ୍ଷ୍ୟ ନାଇଁ, ଏମିତି ଘୂରୁଚି...

ଜଣାଥିବ ଗତବର୍ଷ ଭୋଟ ଲଢ଼େଇରେ ହାରି

ତା’ ପୂର୍ବରୁ ଛାଡ଼ିଥିଲା ସରକାରୀ ଚାକିରି...

ଛାତ୍ର ଜୀବନର ସିଏ ଜ୍ୱଳନ୍ତ ହୀରକ

ସାହିତ୍ୟରେ ଥିଲା ବି ପ୍ରବେଶ

ରାତାରାତି ପୁଞ୍ଜିପତି ବନିତା ଆଶାରେ

ସେ ଧରିଲା କଣ୍ଟ୍ରାକ୍ଟର ବେଶ ।

 

ତା’ପରେ ଅଥୟଗତି,

ଭାଗୀଦାର୍, ବିଶ୍ୱାସଘାତକ

ହଠାତ୍ ସବୁ ବିଲନେଇ ଆତ୍ମସାତ୍ କଲା –

ତା’ପରେ ନିତି ନିତି ମକଦ୍ଦମା କୋର୍ଟ, କଚେରିରେ

ପିଲାଏ ବି ଜଳନ୍ତି ଭୋକରେ ।

 

ପତ୍ନୀ ତାର

ସେଇଦିନୁଁ ଯେ ତେଜିଲା ଘର;

ପୁନଶ୍ଚ ଫେରିବ ନାଇଁ

ବଜ୍ରଘୋଷ ଶପଥ ତାହାର ।

 

ଦୀର୍ଘ ଏକ ନିଶ୍ୱାସରେ ଲଘୁକରି ମନ ଓରିମାନା

ସେ ଏମିତି କହିଗଲା ମୁଁ ଶୁଣିଲି

ତା’ପ୍ରାଣର ବିଫଳ କାନ୍ଦଣା ।

ଆଖିରେ ଜ୍ୱଳନ୍ତ ନିଆଁ ମୁଁ ଦେଖିଲି ଜଳୁଥିଲା

ଗୁମ୍ଫାରେ ଆହତ ହୋଇ ଗର୍ଜ୍ଜୁଥିବା ବାଘର ଆଖିରେ

ଏବଂ ଜଳୁଥିଲା ଏଇ ଏପ୍ରିଲର ମଧ୍ୟାହ୍ନ ତାତିରେ ।

 

ବାହାରେ ଦଉଡ଼ିଛନ୍ତି ଗହମ ଓ ହରଡ଼ର କ୍ଷେତ;

ସମୁଦ୍ର ବକ୍ଷରେ ଉଡ଼ୁଥିବା ନିଃସଙ୍ଗ ଚଢ଼େଇ ପରି

ଅସହାୟ ସୁଯୋଗ୍ୟର ମନର କପୋତ ।

ବିଭକ୍ତ ଅନ୍ତର ତା’ର ଅସଂଖ୍ୟ ଆଶାରେ ହାରି,

ଦୁଃଖମାତ୍ର ରଖିଅଛ ଧରି

ହାୟ, ବନ୍ଧୁ, ସୁଯୋଗ୍ୟ ଚୌଧୁରୀ ।

 

ତା ୧୮ । ୧ । ୬୬

***

 

ସମୟାତୀତ

 

ସମୁଦ୍ର ଯାତ୍ରାରେ କିଛି ହଜାଇଚ ତୁମେ ଯେଉଁମାନେ

ହଜାଇଚ ଆପଣାର ହସ କାନ୍ଦ ଛାତିର କଲିଜା

ଓ ଖୋଜୁଚ ବାରମ୍ୱାର ଅବିଶ୍ରାନ୍ତ ଦୀର୍ଘ ନିଶ୍ୱାସରେ

ଆସି ଯିବା ପହଁରି ପହଁରି ସମୁଦ୍ରର ଉତ୍ତାଳ ନୀଳରେ ।

 

ଦେଖିବା ସେଠାରେ ଏକ ତିମିର କଙ୍କାଳ

ମ୍ୟୁଜିୟମ ସୌନ୍ଦର୍ଯ୍ୟ ସେ ନୁହେଁ

ସିଏ ଏକ ଅବଶେଷ ବିକଳ ଆତ୍ମାର

ଗଭୀର ଜଳରେ ଯା’ର ମାଂସଗୁଡ଼ା ମିଳେଇ ଯାଇଚି

ବଞ୍ଚିବାର ଆଗ୍ରହରେ ଶେଷେ ସିଏ ନିଷ୍ପ୍ରାଣ ହୋଇଚି ।

 

ନ ପାଇଲେ ଖୋଜି ଖୋଜି ଆସ ଯିବା

ଉଆସକୁ, ରଙ୍ଗ ଯା’ର ଭିଜା ପାଉଁଶର

ଅନେଶ୍ୱତ କୋଠରି ଓ ଶହେଦ୍ୱାର,

ପରିତ୍ୟକ୍ତ, କେଉଁ ଏକ ଅଶାନ୍ତ ଆତ୍ମାର ।

 

କେଉଁପରି ଦେଖିବା ସେଠାରେ

ପ୍ରଣୟିନୀ ରୂପସୀ ସାମ୍ରାଜ୍ଞୀ......

କ୍ଷମତାନ୍ଧ ସମ୍ରାଟର ଲୌହ କାରାଗାରେ

କ୍ଷୁଧା, ତୃଷା ପୀଡ଼ନରେ ତେଜିଚି ଜୀବନ

ଶୁଣି ଶୁଣି ଅଦୂରେ ତା’ ପ୍ରଣୟୀର କାତର କ୍ରନ୍ଦନ ।

 

ତୁମେ ସବୁ ଭୟକର

ତାର୍କିକର ଅଜସ୍ର ‘ନାସ୍ତିକୁ’

ତୁମେ ସବୁ ଭୟକର ଆଲୋକ ଓ ଅନ୍ଧାରର

ବିଭତ୍ସ ରାତିକୁ ।

 

ହେଲେ କ’ଣ ପାଇବ ନିଷ୍କୃତି ?

ଶହେ ଦ୍ୱାର ରୁନ୍ଧି ହେଲେ

ତଥାପି ଯିବାକୁ ହେବ ଖୋଜି ଖୋଜି ସେହି ଏକ ସ୍ମୃତି—

ସମୁଦ୍ର ଜଳକୁ

କିମ୍ୱା ପରିତ୍ୟକ୍ତ ଉଆସ ତଳକୁ ।

 

ତା ୩୦ । ୩ । ୬୬

***

 

ଆର୍ତ୍ତନାଦ

 

ମୋ ମନର ଅସଂଖ୍ୟ କାମନା ପରି

ଆଜିର ଏ ବିଂଦୁ ବିଂଦୁ ବର୍ଷା ଝରିଯାଏ...

ସପ୍ତତଳ ରାଜାର ପ୍ରାସାଦେ

ରିଂଫ୍ୟୁଜିର କୁଡ଼ିଆ କାନ୍ଥିରେ

ତଥାପିଟି କାନ୍ଦେ ଖାଲି କାନ୍ଦେ...

କାମନାର ମୃତ୍ୟୁ ହୁଏ

ମଉଳା କେତକୀ ପରି ମାଟି ହୁଏ...

ନିଭିଯାଏ; ନିଷ୍ପ୍ରଦୀପ ରୁଦ୍ଧ କୋଠରିରେ

ବେଳେବେଳେ ଆଖିର ସମୁଦ୍ରେ

ଆଉ ବେଗବତୀ ତଟିନୀର ତୀରେ ।

 

ଯେ ଥିଲେ ମୋ କାମନାର ପିତା, ପିତାମହ—

ଲାଳସାର ଅଗ୍ନିଗର୍ଭେ ଆପଣା ଶରୀର ପୋଡ଼ି

ଆତ୍ମାକୁ ଫୋପାଡ଼ି

ଦେଇଥିଲେ ସହରର ପଚା ନର୍ଦ୍ଦମାରେ

ଅସଂଖ୍ୟ ଦୁଃସ୍ଥିତି ସଂଗେ ଯୁଦ୍ଧକରି

ସେଇ ଆତ୍ମା ଆର୍ତ୍ତନାଦ କରେ ।

 

ସମୟ ଓ ସୌନ୍ଦର୍ଯ୍ୟର ମେଘନାଦ ପ୍ରାଚୀର ଫଟାଳ

ସେଇ ଆର୍ତ୍ତି ପବନେ ସଂଚରେ

ମୋ ଅସଂଖ୍ୟ କାମନାକୁ

ଚେତନାର ଚାବୁକରେ ଘାରେ ।

 

ତା ୧୫ । ୬ । ୬୬

***

 

ଲାଙ୍ଗୁଳାର ସଙ୍ଗୀତ

 

ମୁଁ ଟେକିଲି ଥରେ ମୁଖ, ମାତ୍ର ଥରେ ଖୋଲିଲି ମୋ ଆଖି

ଏଇ ଅଛି ପୃଥିବୀଟା—

ଏଇ ଯେ ବୁଡ଼ିଚି ସୂର୍ଯ୍ୟ

ଡାଳିମ୍ୱ ଫୁଲର ରଙ୍ଗ ନେସିଦେଇ ଆକାଶ ଗୋଟାକ,

ଆକାଶେ ଉଇଁଚି ଜହ୍ନ

ତଳେ ଜଳେ ନିଅନ୍ ଆଲୋକ ।

 

ମୁଁ ଭାବୁଚି କିଛି ଜ୍ୟୋତ୍ସ୍ନା ପିଇଯିବି ଆଞ୍ଜୁଳାରେ ଭରି

ପଇଯିବି ଆକାଶର ଏ ଶୂନ୍ୟତା,

ମୁଁ ଉଡ଼ିବି ମହାଶୂନ୍ୟେ ଜ୍ୟୋତ୍ସ୍ନାରେ ମୋ ଶରୀର ପଖାଳି ।

ବହୁଦିନୁ ଯେ ଶରୀର ଆବର୍ଜନା ଭିତରେ ବୁଡ଼ିଚି—

ମଣିଷର ଘୃଣା ତଳେ ପେଷି ହୋଇ ଅକାଳେ ଛିଡ଼ିଚି ।

 

ମୁଁ ଉଡ଼ିବି ଗ୍ରହ ପରେ ଗ୍ରହାନ୍ତର

ମିଶିଯିବି ଅସୀମ ଶୂନ୍ୟରେ

ସୀମିତ ମୋ ତନୁ ତେଜି ସୀମାହୀନ ମନର ସୋହାଗେ ।

 

 

 

ମୁଁ ଟେକିଚି ଥରେ ମୁଖ, ଥରେ ମାତ୍ର ଖୋଲିଚି ମୋ ଆଖି;

ଶିଶୁର ଆଗ୍ରହ ନେଇ ମୁଁ ଖୋଜୁଚି ସମଗ୍ର ଜଗତ...

ନିର୍ଯ୍ୟାତିତ ପ୍ରାଣ ମୋର ପ୍ରଶାନ୍ତିରେ ଦେଖୁଚି ନିରେଖି ।

 

ହଠାତ୍ ଆସିଲା ଏକ କ୍ଷିପ୍ର ଢେଉ ନର୍ଦ୍ଦମାର ଜଳକୁ ବିଦାରି

ମୁଁ ବୁଡ଼ିଲି ନର୍କ ତଳେ ମୋ ଆଖିରୁ ପୋଛି ଦେଇ

ମୋ ମନରୁ ଧୋଇ ଦେଇ ସମସ୍ତ ସୁଷମା—

ମୋ ପାଇଁ ଏଇ ଯେ ସତ୍ୟ—ମହାସତ୍ୟ

ବୁଝୁଚି... ବୁଝୁଚି...

ଦେହର ଝଞ୍ଜିରେ ବନ୍ଧା

ଆହା ମୁଁ କି ନାରଖାର ହେଉଚି ।

ତା ୯ । ୮ । ୬୬

***

 

ଅପହଞ୍ଚ

 

ଧୂମ ସମ ଅବାସ୍ତବ ରୂପ ତାର ବାରମ୍ୱାର ଆସି

ଚାରିଦିଗେ ରଚେ ମୋର ବଂଧନର ଦୃଢ଼ କାଳ ଫାଶି ।

 

ପବନର ପକ୍ଷୀରାଜ ଚଢ଼ିସିଏ

ବେଳେ ବେଳେ ଛୁଇଁଯାଏ ସମଗ୍ର ମୋହର

ଅନ୍ଧାରର ସିଡ଼ିରେ ଓହ୍ଲାଇ ଆସେ...

ପୂର୍ଣ୍ଣିମାରେ ନାଚେ ସିଏ ଉଦ୍ୟାନେ ମୋ—

ତା’ସାଥେ ନାଚନ୍ତି ମିଶି

ଜ୍ୟୋତ୍ସ୍ନାକୁ ଜାବୁଡ଼ି ଧରି ସଜଫୁଟା ସହସ୍ର ଟଗର ।

 

ସୁନାରି ଫୁଲର ଖରା ଶୋଇଗଲେ

ଶ୍ୟାମ ଘାସ-ଗାଲିଚା ବିଛାଇ

ସେ ଆସି ତା’ପରେ ନାଚେ...

ନାଚେ ପୁଣି ବନେ ବନେ ରତିକ୍ଳାନ୍ତା ସର୍ପିଣୀର

ଭୟଙ୍କର ନିସ୍ତେଜ ଆଖିରେ

ଏବଂ ସେ ନାଚେ ବି ମୋର ସଙ୍କୁଚିତ, ଆହତ ଛାତିରେ ।

 

 

 

ମୁଁ ଯେତେ ଧରିବି ଭାବେ

ଫିଙ୍ଗିଦେଇ ମୋ ମାଂସର ଧୂଳିରୁ ମୁଠାଏ

ଜାଳିଦେଇ ମୋ ମନର ସମ୍ଭାବନା

ସମୟ ଚିତାରେ

ଯେତିକି ଦୂରତ୍ୱ ଡେଇଁ ଧାଇଁଯାଏ

ପୁନଶ୍ଚ ସେ ସେତିକି ଦୂରରେ ।

 

ସିଏ ଅବା ଅପହଞ୍ଚ ଜୀବନର ଅଭିଳାଷ ମୋ’ର

ଅନେକ ଦକ୍ଷତା ଏବଂ ଦୁଃସ୍ଥିତିର ମିଶାମିଶି

ଉଦ୍ଧତ କାମନା...

ବାରବାର ହାରିଲେ ବି ଅକ୍ଲାନ୍ତ ମୁଁ...

ସେ ଯେ ମୋର ଆଗାମୀର

ସଫଳ-ସୂଚନା ।

ତା ୨୫ । ୧୨ । ୬୬

***

 

ଅହଲ୍ୟାର ଆର୍ତ୍ତନାଦ

 

ଅସୀମ ବନସ୍ତ ଏ ଯେ ଆକାଶର ଅନନ୍ତ ନୀଳିମା

ଆଜିର ପ୍ରଭାତେ ମୁଗ୍ଧ କି ଅବୋଧ୍ୟ ସଙ୍ଗୀତ ଗାଉଚି

ଅନେକ ଅରଣ୍ୟ ଫୁଲ ପବନରେ ପାଖୁଡ଼ା ଖୋଲୁଚି

ଦାଶରଥି ! କେବେ ଗୋ ଆସିବ କହ ?

ନିର୍ଜନତା, ଏ କଠିନ ପ୍ରସ୍ତରର ଦେହ—

ଅତି ଦୁର୍ବିସହ ।

 

ମୁଁ ଏଠି ପାଷାଣୀ ଆଜି, ଏକଦା ଯେ ଅପୂର୍ବ ରୂପସୀ

ଥିଲି, ଜାୟା ପ୍ରଣୟିନୀ କୋମଳା ଷୋଡ଼ଶୀ;

କେତେବାର ପୂଜାକଲି ପତି ପଦ

ତୁଷ୍ଟ କଲି ପ୍ରଣୟୀର ସୋହାଗ ସମ୍ପଦ ।

 

ମୋ ଉଚ୍ଛଳ କାମନାକୁ

ମୋ ଭୁଲର ଶୀତଳତା ଶିଳାସମ ନିଷ୍‍କମ୍ପ କରିଚି...

ସତେ ଅବା ବେଗଗାମୀ ଜଳସ୍ରୋତ

ହଠାତ୍ ଏକ ଶୀତର ସନ୍ଧ୍ୟାରେ

ବରଫ ହୋଇ ଜମାଟ ବାନ୍ଧିଚି ।

 

ନିବିଡ଼ ନିଶୀଥେ ହିଂସଶ୍ୱାପଦର ଗର୍ଜନେ ବିକଳ—

କେତେବାର ମୋ କଣ୍ଠରୁ ଆର୍ତ୍ତନାଦ ଛୁଟି—

ଫେରିଚି କଣ୍ଠକୁ ପୁଣି...

ଶିଳାଗାତ୍ର ନିର୍ବେଦ, ଅଥର୍ବ

ମୋ ତନୁ ସ୍ନିଗ୍ଧତା ଲୁଟି କରିଅଛି ପଙ୍ଗୁ ଅବୟବ ।

 

କେହି ତ ଆସେନା ଭୁଲି

ମୋର ପତି ବା ମୋର ପ୍ରଣୟୀ

ଏପଥରେ... ଦେଖିବାକୁ ଅହଲ୍ୟାର ପାଷାଣ ଅନ୍ତର...

କିନ୍ତୁ ସେଇମାନଙ୍କର ତୁଷ୍ଟି ଲାଗି...

ନାରୀ ମୁହିଁ, କେତେ ଅତୀତରେ

ଶୋକ, ଦୁଃଖ ଭୁଲିଚି ନିଜର ।

 

ଏ ଯନ୍ତ୍ରଣା ଦୁର୍ବିସହ...

ନିର୍ବାସିତ ଏ ମନର କୋହ...

କେତେ ବା ଲଭିବି ମୁକ୍ତି

ସୃଷ୍ଟିର ଏ ସୁନ୍ଦର ବିଭବ—

ନାଚିବ ଆଖିରେ ମୋର...ପ୍ରସ୍ତରରେ ରୋମାଞ୍ଚ ଜାଗିବ...

ତୁମ ଦୃପ୍ତ ଚରଣ ସ୍ପର୍ଶରେ...

ତେଣୁ ଆଜି ସବୁ ଶକ୍ତି, ସବୁ ଆଶା ଏକ କରି

ତୁମ ନାମ ଗାଏ ଅହରହ

ଦାଶରଥି ! କେବେ ଗୋ ଆସିବ କହ—

ଏ ଯନ୍ତ୍ରଣା ଅତି ଦୁର୍ବିସହ ।

 

ତା ୫ । ୫ । ୬୭

***

 

କ୍ଷମା ଦିଅ

 

ସେ ଦିନ ଏମିତି ଥିଲା ଉତ୍ସବର ସମାରୋହ

ଶରତ୍ର ନିଶାନ୍ତ ଆକାଶେ

ଏ ଉତ୍ସବ କେତେଥର ଯାଇ ପୁଣି

କେତେଥର ଫେରି ଆସିଲାଣି,

ପ୍ରଭୁ ହେ, ତୁମରି ପାଦେ ମୁଣ୍ଡ ନଇଁ

ପ୍ରତିଥର ମୁହିଁ କେତେ କାମନା କରିଚି...

ଥରକର ପୂର୍ଣ୍ଣ କାମ, ମୁଁ ପୁଣି ଅଶାନ୍ତିରେ ଥରି

ବାରବାର କେତେ ବର ମନାସି ବସିଚି ।

 

ମୁଁ ଜାଣୁଚି ଏ କାମନା ନିର୍ବାପିତ ହେବାର ବି ନୁହେଁ...

ପାଇଲେ ମୁଁ ସୁଖୀ ହେବି...ଏ ଭାବନା ଯେତିକି ସୁନ୍ଦର

ମୁଁ ଦେଖୁଚି ପରେ ପରେ ଅନେକ ବି ଲୋଡ଼ା ଅଛି ମୋର ।

ପ୍ରଭୁ ହେ ତୁମେ କି ଜାଣ ଚଣ୍ଡାଳୁଣୀ ମୋ ମନ କାମନା...

କେବେ ବି ପୂରିବ ନାହିଁ, ମାୟା ମୋହେ ଆଚ୍ଛନ୍ନ ମୋ

ସମଗ୍ର ଜୀବନ,

ମୋ ଭିତରେ ନିଷ୍ଠା, ଭକ୍ତି କାଣିଚାଏ ହୁଏତ ନ ଥିବ

ମୁଁ ଚାହୁଁଚି, ମାଗିନେବି, ମୋ’ ପାଇଁ ସମଗ୍ର ବିଭବ ।

 

ଅନେକ ଦେଇଚ ପ୍ରଭୁ, (ନିନ୍ଦା କେବେ କରିବି ନି)

ହାତଯୋଡ଼ି ଜଣାଣ କରୁଚି ।

ସେ ସବୁ ପାଇଲାପରେ

ମୁଁ ଭାବୁଚି ଲୋଡ଼ା ମୋର ଅନ୍ୟ କିଛି,

ମୋ ପାଖରେ ନାହିଁ ।

 

ପ୍ରଭୁ ହେ ସକଳ ଜାଣି ମୁଁ ନିର୍ମାଖୀ ପ୍ରତି ମୁହୂର୍ତ୍ତରେ

(ମତେ ତୁମେ କ୍ଷମାକର)

ଗୋଟି ଗୋଟି କେତେ କ’ଣ ମନାସୀ ବସୁଚି ।

ମନରେ ଅଜସ୍ର ଆଶା ଆକାଂକ୍ଷାର ଜାଲ ବୁଣି

ପ୍ରବଞ୍ଚକ ସାଜି

ଉର୍ଣ୍ଣନାଭ ମୁଁ ତହିଁ ହସୁଚି ।

 

ତା ୧୧ । ୧୦ ।୬୭

***

 

ତପସ୍ୟା

 

ମୁଁ କିବା ପର୍ବତ କନ୍ୟା

ମହାତପା ମହେଶ୍ୱର ପ୍ରଣୟ ପାଇଁ କି

କୁଚ୍ଛ୍ର ସାଧେ ନିରାହାରେ ଜାଗରଣେ

ବଳ୍‍କଳ ବସନେ—

ତପ୍ତ ସୂର୍ଯ୍ୟ ମସ୍ତକ ଉପରେ

ଲେଲୀହାନ ବହ୍ନି ପରିଧିରେ

ନିରତ ସାଧନା ମୋର;

ହିମରେ ପଖାଳି ତନୁ ଶୀତାର୍ତ୍ତ ରାତିରେ

ଝୁରି ଝୁରି ଯୌବନ ଝରାଏ ।

 

ଅଥବା ସୁତୀକ୍ଷଣ ମୁହିଁ

ମୋ କାମନା ଅଭୀପ୍‍ସାକୁ ଚୂରିଦେଇ ଧୈର୍ଯ୍ୟର ଶିଳାରେ

(ଆହାର ମୋ କୁଶାଙ୍କୁର)

ଛାତିରେ ପ୍ରତୀକ୍ଷା ଭରି

ଜୀବନର ଚିରପ୍ରିୟ ଦର୍ଶନ ପାଇଁ କି

ଚାହିଁ ରହେ ଲକ୍ଷେ ଦିବା ରାତି

ଅଜାଣତେ ପଶ୍ଚାତେ ମୋ ବୃଦ୍ଧ ହୁଏ

ଅସଂଖ୍ୟ ଶତାବ୍ଦୀ ।

 

ହୁଏତ ମୁଁ ହୋଇପାରେ ଭୟଙ୍କର ଦସ୍ୟୁ ରତ୍ନାକର

ଅଜ୍ଞାତ-ଜନିତ ପାପ କ୍ଷୟ ପାଇଁ

ଆପଣାର ଚିର ମୁକ୍ତି ପାଇଁ

ଅବିରତ ଦେହ ମନ ଏକାଗ୍ର ମୋହର ।

 

ଆତ୍ମୀୟର ଆହ୍ଲାଦ ପାଶୋରି

*ରଘୁବଂଶରେ ବର୍ଣ୍ଣିତ ଏକ ମହର୍ଷି

ଦୁଇ ବାହୁ ଊର୍ଦ୍ଧ୍ୱେ ତୋଳି ତପସ୍ୟାରତ ମୁଁ

ମୁଁ ନ ଜାଣେ କେଉଁ ଦିନୁ ପାଲଟିଚି ବାଲ୍ମୀକ ମୋ ତନୁ ।

 

ନିଶ୍ଚିତ ବିଜୟ ତେଣୁ ମୋ ପ୍ରଚଣ୍ଡ, ଦୃଢ଼ ତପସ୍ୟାର

ପୁନଶ୍ଚ ମୁଁ ତଡ଼ିନେବି ମୋ ଆଖିର ବନ୍ୟା ଜଳେ

ଏ ସୃଷ୍ଟିର ଯାହା ଅସୁନ୍ଦର ।

 

ତା ୨୫ । ୧୨ । ୬୬

***

 

ସୀତୟାର ସପ୍ତପଦୀ

 

ଏ ସମୟ ବୃଦ୍ଧହେବ

ଏଇ ଆଜି, କାଲିରେ ମିଶିବ

ସୂର୍ଯ୍ୟ ପଛେ ଚନ୍ଦ୍ର ଥରେ ଛପି, ଥରେ ଚାହିଁ ଯାଉଥିବ

ଫୁଲର ଅରଣ୍ୟ ଆଉ ବସନ୍ତର ମୁଖର ଚଢ଼େଇ

ଚାରିପାଖେ ଯେତେଛନ୍ତି—

ଅନ୍ଧାରରେ ଆଖିବୁଜି ଦି’ହାତ ବଢ଼ାଇଲା ବେଳେ

ଫୁଲ ସବୁ ଝଡ଼ିଯିବେ,

ପକ୍ଷୀମାନେ କେବେଠାରୁ ଉଡ଼ିଯାଇଥିବେ ।

କାହାପାଇଁ ସୀତୟା ମୁଁ ଜାଳି ଜାଳି ପତୀକ୍ଷା-ପ୍ରଦୀପ

ଅନ୍ଧାରରୁ ପେଟେ ପିଇ

ପୁଣ୍ୟତୋୟା ତମସାର ତୀରେ

କା’ ଶୁଭ ମନାସି ନିତି ପୂଜା ଦିଏ—ଫଳ ପୁଷ୍ପ ତୋଳେ ?

ବର୍ଷ ପରେ ବର୍ଷ ବିତେ

ଫୁଲ ଫୁଟେ ଫୁଲ ଝଡ଼େ

ଚଞ୍ଚଳ ତମସା ସ୍ରୋତେ

ଢେଉ ଉଠେ ଢେଉ ଲୋଟେ

ଜରାଗ୍ରସ୍ତ ତନୁ ମନ ସମଗ୍ର ଜୀବନ ।

 

 

କେତେ ଦୂରେ ଅଯୋଧ୍ୟା ଓ ସରଯୂର ନୀଳ ଜଳ ବେଣୀ

ରଘୁନାଥ ! ଏଡ଼ିକି ନିଷ୍ଠୁର !

ମୁଁ ଜାଣେନି ଏ ବ୍ରତର ମୂଲ୍ୟ କ’ଣ

ଏ ନିଷ୍ଠାର କିବା ପୁରସ୍କାର... ?

ଗୋଟିଏ ଜନ୍ମର ପରେ ସତେ କ’ଣ ପୁନର୍ଜନ୍ମ ଥାଏ ?

ସତେ କ’ଣ ଏ ତ୍ୟାଗର

ସହିଷ୍ଣୁତା, ପତିପ୍ରାଣତାର

ମୂଲ୍ୟ ମିଳେ ଅନ୍ୟ କେଉଁଠାରେ ?

ବିପୁଳ ଏ ଧରଣୀର ହସ କାନ୍ଦ

ଆଲୁଅ ଅନ୍ଧାର—

ତଳେ ଯେ ଜୀବନ ଏକ ସ୍ୱେଚ୍ଛାରେ ଜଳିବ—

ଏ ତନୁର ଶିଖା ନିଶ୍ଚେ ଜରାବାତେ

ନିର୍ବାପିତ ହେବ—

କିଏ ତା’ର ମୂଲ୍ୟ ଦେବ ? ରଘୁନାଥ !

କହ କିଏ ଦେବ ?

କାହା ପାଇଁ ଏ ପ୍ରତୀକ୍ଷା

କାହା ପାଇଁ ଶୁଚିସ୍ମିତା ମୋ ଓଠର ହସ—

ସମୟର ବାଲୁଚରେ ଲୁଚିଯାଏ ବସନ୍ତ—ବୟସ,

ଶୂନ୍ୟ ଏକ ମନ୍ଦିରରେ ବିଭୁ ପୂଜା ରଚିବାର

ଏଇ ଯେ ପ୍ରୟାସ

ସତ, ସତ— ଏ କାହାର ତୀବ୍ର ପରିହାସ !

 

ତା ୩୦ । ୭ । ୬୮

***

 

ଖଦ୍ୟୋତ

 

ଚନ୍ଦ୍ର ସୂର୍ଯ୍ୟ ଜଳୁଚନ୍ତି

ରାସ୍ତା ଧାରେ

ଘରେ ଘରେ

ଜଳୁଅଛି ବିଜୁଳିର ବତି

ଏଠାରେ ମୋ ଉପସ୍ଥିତି, ସୃଷ୍ଟି ମୋର

ନୁହେଁ କ’ଣ ଅବାଞ୍ଛିତ ଅତି ?

 

ମତେ କିଏ ଚାହେଁ, ଅବା ଚାହେଁ ନାଇଁ

ଭଲପାଏ, ଅବା ପାଏ ନାଇଁ—

ଏ ସବୁ ମୁଁ ଭୁଲିଯାଏ...

ମୁଁ ନିଜେ ମୋ ସ୍ୱପ୍ନରେ ବିହ୍ୱଳ

ପୁନ୍ନାଗର ଶ୍ୟାମ ପତ୍ରେ, କେବେ କେବେ ବଂଶ କୁଞ୍ଜ ତଳେ

କସ୍ତୁରୀ ମୃଗର ସମ ମୁଁ ହୁଏ ମୋ ଜ୍ୟୋତିରେ ପାଗଳ ।

 

ଏ କଥା ନିହାତି ସତ, ତୁଚ୍ଛ ମୋର ଜ୍ୟୋତିର ଗରବ;

ଅନ୍ଧାରର ପର୍ଦ୍ଦା ଚିରିବାକୁ

ଆଲୋକର ଶାଣିତ ଛୁରିରେ

ମୋଟେ ମୋର ଶକ୍ତି ନାଇଁ ଏ କଥା ମୁଁ ଭଲ ରୂପେ ଜାଣେ,

ତଥାପି କାହିଁକି ବସି ଅମାବାସ୍ୟା ରାତ୍ରିର ଚିକୁରେ

ଜଳୁଥାଏ ଧୀରେ ସଂଗୋପନେ—

ଅଭିମାନୀ ବିଶୋରୀର ଆଖିପରି ଯେତେବେଳେ ଶ୍ରାବଣ ଆକାଶ

ଭାରିହୁଏ ମେଘର ଗୁଞ୍ଜନେ ।

 

ମୁଁ ଜାଣେ ମୁଁ କିଛି ନୁହେଁ ଏ ବିରାଟ ପୃଥିବୀରେ

ଅତି ଛୋଟ, ପରିଚୟ ହୀନ

ନିଉଛୁଣା ଘାସ ଫୁଲ, ନିଜେ ଫୁଟେ, ନିଜେ ଝରେ

ତା’ କାହାଣୀ କିଏ ବା ପଚାରେ ?

ମୁଁ ସେମିତି ଜଳିଉଠେ, ନିଭିଯାଏ, ପୁନର୍ବାର ଜଳେ

ଅନାଦର, ଅବହେଳା ମୋ ମନରେ

ଆଙ୍କେ ନାଇଁ ହତାଶାର ଗାର ।

 

ଜଗତେ ଅସଂଖ୍ୟ ଥିଲେ କୀର୍ତ୍ତିରେ ଓ କୃତିରେ ମହାନ—

ଛୋଟ ବୋଲି କେହି କ’ଣ ତେଜିପାରେ ନିଜ ଆଶା,

ଭୁଲିପାରେ ଆତ୍ମ ଅଭିମାନ ?

 

ତା ୧୪ । ୪ । ୬୯

***

 

ପ୍ରଚଣ୍ଡ ପ୍ରତ୍ୟୟର ପରିପୂର୍ତ୍ତିରେ

 

ନିଛାଟିଆ ଦ୍ୱିପ୍ରହର

ପୃଥିବୀଟା ସିଝିସିଝି ସୂର୍ଯ୍ୟର ନିଆଁରେ

ଅଚେତନ ହେଲା—

ରାତି ପୁଣି ଶୋଇଗଲା ଭୂତକୋଠି, ସମୁଦ୍ର ବାଲିରେ...

ତୁମେ ଯେତେ ଗୋଟି ଗୋଟି କାମନାର ପ୍ରେତ

ମୋ ଚୌଦିଗେ ଘୂରିବୁଲ

ଅନାୟାସେ ଏ ସୁଯୋଗ ନେଲ ।

 

ତୁମରି ଉଚ୍ଛଳ ହସ, ଚାହାଣୀରେ

ଭାଙ୍ଗିଗଲା ମୋ ସୌଧର ବୈଦୁର୍ଯ୍ୟ ତୋରଣ

ସୁନାର ଶିକୁଳି ଖସି ଦ୍ୱାର, ଝର୍କା ଖୋଲିଗଲା

ନିଭିଗଲା ମହାର୍ଘ ପ୍ରଦୀପ,

କେଳାହଳ ଶୂନ୍ୟ ହେଲା ମୁଖରିତ ଅନ୍ତଃପୁର ମୋର

ମୋ ସୁଖ ସମ୍ପଦ ସବୁ ଢୋକିଦେଇ

ତୁମେମାନେ ଅବାନ୍ତର ଆର୍ତ୍ତନାଦ କଲ ।

 

ମୁଁ ବୁଜିଲି ଦୁଇ ଆଖି

ଭଲ ହେଲା— ଭଲ ହେଲା

ସୁନାନାକୀ ରାଜା ଝିଅ ଗାଡ଼ିଆରୁ କଳମ ତୋଳିଲା,

ତୁମେ ସବୁ ତୁନି ହୁଅ–

ତୁମେ ସବୁ ଦୂରେ ରୁହ–

ଏ କଥା ନିହାତି ସତ ମୁଁ ବଞ୍ଚିଚି

ବଞ୍ଚିଚି ମୋ ପ୍ରଚଣ୍ଡ ପ୍ରତ୍ୟୟ;

ମୋର କି ଗଲା ତେଣୁ

ତୁମେ ସବୁ ନିଉଛୁଣା ମରିଯାଇ ପ୍ରେତ ପାଲଟିଲେ,

କିମ୍ୱା ମୋ ଦୁଆରେ ନିତି

କାନ୍ଦି କାନ୍ଦି ମସ୍ତକ ପିଟିଲେ ?

 

ତା ୨୦ । ୪ । ୬୯

***

 

ସାଧନା

 

ମୁଁ କେବେ ଜଳିଲି କେଉଁ ସହରର ରାଜରାସ୍ତା ପରେ

ଅବା ମୁଁ ବସିଲି ଲୁଚି

ଶଙ୍ଖ ସୌଧ କକ୍ଷ ତଳେ

ନିଜରେ ଘୋଡ଼ାଇ ରଖି ସୁବର୍ଣ୍ଣର ଅବଗୁଣ୍ଠନରେ—

କେତେବେଳେ ବସନ, ଭୂଷଣ ଲୋଭେ ମୁଁ ନିଜକୁ ନିମଜ୍ଜିତ କଲି

ଅଥବା ପ୍ରିୟର କୋଳେ ସ୍ନେହଶୀଳ ଶିଶୁଭଳି

ବାରମ୍ୱାର ହସିଲି, ଲୋଟିଲି,

ଅନ୍ଧାରର ପର୍ଦ୍ଦାଚୀରି ଆଲୋକର ଶାଣିତ ଛୁରୀରେ

ବାଦ୍ୟ, ନୃତ୍ୟ, କୋଳାହଳ ପଟୁଆରେ ନିଜରେ ସଜାଇ

ମୁଁ ଗଲି ମୋ ଗୌରବର ଜୟଗୀତି ଉଚ୍ଚସ୍ୱରେ ଗାଇ

ଲକ୍ଷ ଲକ୍ଷ ମଥା ମୋର ପାଦତଳେ ସଂଗ୍ରମେ ନଇଁଲା ।

 

ମୁକୁଳା ଫୁଲର ଓଠେ ମୁଁ ଗାଇଲି ମୋ ସଫଳ କଣ୍ଠର ମହ୍ଲାର

ନିର୍ମେଘ ଆକାଶ ତଳେ ମୋ ନୀଳ ଆଶାର ସ୍ତବ—

ଗାଉଥିଲା ପାଗଳ ସମୁଦ୍ର—

ଝାଉଁବଣ ଝନତ୍କାର, ବାଲିବନ୍ତ କାନେ କାନେ କହୁଥିଲା

ମୁଁ କେମିତି ଭଲ, ଭାରି ଭଲ;

 

 

ହସକୁଡ଼ୀ ଝିଅଭଳି ହସିହସି ଲୋଟୁଥିଲେ

ପେନ୍ଥା ପେନ୍ଥା କାଠଚମ୍ପା ଫୁଲ ।

 

ସବୁ ମୁଁ ନିଜର କଲି,

ମୋ ପ୍ରିୟର ଚାଟୁବାଣୀ (?)

ଆତ୍ମୀୟର ଆଶାୟୀ ଆଦର (?)

ଦିନର ଆଲୋକ ପରେ ଛପିଥାଏ ରାତିର ଅନ୍ଧାର–

ପ୍ରଭୁ ମୁଁ ବୁଝିଲି ନାଇଁ ଜ୍ଞାନହୀନ, ନିର୍ବୋଧ ପାମର,

ଉତ୍ତପ୍ତ ମୋ ଆତ୍ମାରେ କାହିଁ ତ

ବିନ୍ଦୁମାତ୍ର ପ୍ରଶାନ୍ତିର ଚନ୍ଦନ ଲାଗିଲା ନାଇଁ

ମତେ ସ୍ଥାନ ଦିଅ ପ୍ରଭୁ ମୁଁ ଏକ ତୁଚ୍ଛ ଧୂଳିକଣା,

ନିଜରେ ପାଶୋରିଯାଏ

ନିଶ୍ଚିତ ସଫଳ ହେଉ ମୋ ଜୀବନେ ଶାନ୍ତିର ସାଧନା ।

 

ତା ୧୯ । ୬ । ୬୯

***

 

ସ୍ମୃତି

 

ପବନରେ ଏ କି ଛଂଦ, ତରଂଗରେ

ଇଏ କି ଉଲ୍ଲାସ,

ତନୁରେ କି ନିର୍ବେଦତା ଆଖିରେ କି ଅପୂର୍ବ ବିନ୍ୟାସ;

ତୁମେ କାହିଁ କେତେଦୂରେ ...ତୁମ ମୁହଁ, ତୁମ ଆଖି

ମୋ ଆଖିରେ ବାର ବାର ମିଶେ

 

ଅରଣ୍ୟ ପଥର ଫୁଲ ସୁଦୂରର ସୁରଭି ସଂଭାରେ

ମୋ ନାସାର ରଂଧ୍ରେ ରଂଧ୍ରେ ଛୁଟେ,

ମୁଁ ସତେକି ଦେଖିପାରେ

ମୋ ଆଖିର ସମୁଦ୍ରରେ ସେ ଫୁଲର ଗଂଗାଜଳ ମିଶେ ।

 

କେତେ ଦୂରେ ଗଂଗା ଆଉ ଗୋଦାବରୀ,

କେତେ ଦୂରେ ପୁଣ୍ୟ ପୁରୀ ଧାମ

ମୁଁ ଏଠି ପୂଜାରୀ ଏକ ମନ୍ଦିର ମୋ ଏକାଂତ ନିଶୂନ ।

 

ଦେବତା ଗୋ କାହିଁଗଲ ଚାରିଦିଗେ ବିଂଚି ବିଂଚି

କେତକୀ ପାଖୁଡ଼ା ଆଉ ଦୟଣା ଫୁଲର ମାଳ

ଚଂଦନର ଗଂଧଢ଼ାଳି ଶୂନ୍ୟକରି ମଂଦିରକୁ ମୋର ?

 

ମୁଁ କ’ଣ ନିର୍ମାଖୀ ଆଉ ତୁମକୁ ଦେଖିବି କେବେ ?

ଦକ୍ଷିଣ ଓଡ଼ିଶାଠାରୁ ରାଣୀହାଟ ଛକଯାଏ ଯଦି ବା ମୁଁ ଘୂରେ–

ମୁଁ କ’ଣ ପାଇବି କେବେ ?

 

ବାଟ ନାହିଁ—ବାଟ ନାହିଁ

ତୁମେ ଯେ ଲୁଚିଲ କାହିଁ ଅଗ୍ନାଅଗ୍ନି ବନସ୍ତ ଭିତରେ ।

ଆହା, ଖାଲି ଧରାଦିଅ ମନରେ, ସ୍ମୃତିରେ ।

 

ତା ୨୧ । ୬ । ୬୯

***

 

ନିଗଡ଼

 

ମୁଁ ଜାଣେନି କେତେବେଳେ ଅରଣା ମଇଁଷିଟାଏ

ଧାଇଁଗଲା ଅରମାକୁ

ତା ନିଜର ସ୍ମୃତିରେ ବିକଳ ହୋଇ,

ଖୋଜିବାକୁ, ଧରିବାକୁ ବାସ୍ତବର ବିସ୍ମୃତିରେ

କଳ୍ପନାର ଅସଂଖ୍ୟ ଚଢ଼େଇ ।

 

ଆଡ଼ିପାତି, ଖୁରା ଟେକି ନିର୍ଭୟ ସେ ଡେଇଁଗଲା

ଦୃଢ଼ ମୋର ସୁନାର ଦେହଳୀ,

କେତୋଟି ମୁହୂର୍ତ୍ତ ପାଇଁ ବୋଧହୁଏ ଭାବିନେଲା

ମୁଁ ତାହାର ସାତପର ବୋଲି ।

 

ଏମିତି ଯେ ଗଲା ସିଏ,

ମାଡ଼ି ଦଳି ଭଇଁଚି କୋଳିର ବଣ,

ମନ୍ଦାରର ରକ୍ତାକ୍ତ ସୋପାନ;

ଓଠରୁ ଓଠକୁ ଚୂମି

ସକାଳର ବାସ୍ନା କେତେ ସଞ୍ଜତୀରେ

ପୁନଶ୍ଚ ଖେଳାଇ—

 

 

ସେତେବେଳେ ଅଭିମାନୀ କିଶୋରୀର ଆଖିପରି

ଅଶ୍ରୁଭରା ସଜଳ ଶ୍ରାବଣ ।

 

ସିଏ ବି ବିଭୋର ହେଲା—

ସିଏ ପୁଣି ଡେଇଁଗଲା ମଣିଷର ଚେତନାର ବାଡ଼

ଯେ କେହି ଭାବିବ ତାକୁ

ସେ ଯେମିତି ନିର୍ଘାତ ପାଗଳ ।

 

ସେ ଯାହା ଆଘ୍ରାଣ କଲା—

ବୋଧହୁଏ ତା’ ଏକାନ୍ତ ନିଜର;

ସେ ଯାହା ଦେଖିଲା ବୋଧେ

ସେ ଲାଗି ସେ ଝୁରୁଥିଲା ପୂର୍ବୁ ବହୁବାର ।

 

ତେଣୁ ସେ ଚାଲିଲା ମାଡ଼ି

କଣ୍ଟା ଝଟା, ପଥରର ସିଡ଼ି

ଆହା...ସେ ଯାଉଚି ଯାଉ,

(ଭଲ ହେଲା...ଭଲ ହେଲା

ଅକସ୍ମାତେ ପଘା ଗଲା ଛିଡ଼ି )

ଅବାଧ୍ୟ ବାଳକ ଦେହେ ଛାଟ ପରି

ମୋ ମନରେ ବସିଗଲା ଚେତନାର ମାଡ଼—

ସେ ଧୀରେ ଆସିଲା ଫେରି

ପଘାରେ ଗଳାଇ ବେକ

ମାନିନେଇ ମୋ ଦେହ ନିଗଡ଼ ।

 

ତା ୩୦ । ୭ । ୬୯

***

 

ଶୀତ ପୂର୍ବରୁ...

 

ବସଂତକୁ ରୁଦ୍ଧ କଲି

ମୋ ମନର ନିଭୃତକାରାରେ

ନୀତି ଆଉ ନିୟମର ତାଲା ଦେଇ

ରାଣ ଦେଇ, ତିନିଗାର ଦେଇ,

ସାମ୍ନାରେ ଅଳ୍ପ ଦୂରେ ଠିଆହୋଇ ଶୀତ ହାଇ ମାରେ ।

 

ଶୀତ ଯେ ଆସିବ ନିଶ୍ଚେ

ପୋଛିଦେଇ ନାନା ବର୍ଣ୍ଣ ହୋରି

ଏବଂ ସେ ଆସିବ ନିଶ୍ଚେ

ଅସହାୟ ବୃଦ୍ଧ ଭଳି ବିରକ୍ତି ଓ

ହତାଶରେ ଥରି...

ଶୀତର ସୈନିକମାନେ ଛୁଞ୍ଚି ଭଳି ଗଳି ଯିବେ

ମୋ ଦେହର ଲୋମ କୂପ ଚିରି ।

 

ମୁଁ ଜାଣୁଚି ଏ ବସନ୍ତ କେତେ ଦିନ ?

ତା’ପରେ କି ଖୋଜିଲେ ମିଳିବ...

ବସନ୍ତର ଫୁଲବନ ମତେ ଡାକେ

 

 

ଡାକେ ମତେ ପକ୍ଷୀର କୂଜନ,

ମତେ ଡାକେ କିଶଳୟ, ଡାକେ ମତେ ପଳାଶର ବନ ।

 

ବସନ୍ତ ଚିତ୍କାର କରେ ‘‘ମୁକ୍ତି ଦିଅ, ମୁକ୍ତି ମତେ ଦିଅ

ସେ ନିର୍ବୋଧ ବୁଝୁ ନାଇଁ

ତୋ ଦେହକୁ ଲୁଟିନେଇ ଯେବେଳେ ମୁଁ

ଫେରାର ହୋଇଯିବି...

ଅଯଥା ତୁ କାନ୍ଦି କାନ୍ଦି ମଥା ପିଟି ନୟାନ୍ତକ ହେଲେ

ଆଉ ମତେ ପାଇବୁ କି ?

ଡହଳ ବିକଳ ହୋଇ ଝୁରି ଝୁରି ମରିବା ହିଁ ସାର ।’’

 

ମୁଁ ବୁଝୁଚି ବସନ୍ତର ଓଠର ଏକାନ୍ତ ଆଶା

ଆଖିର ଇସାରା

ମତେ କରେ ନିମନ୍ତ୍ରଣ—

ଲମ୍ଫ ଏକ ଦେବା ପାଇଁ...

ସାହସର, ସଂଭୋଗର ଏକ ବିସ୍ଫୋରଣ,

ଶୀତ ବି ଦେଖାଏ ଭୀତି

ଅଦୂରେ ବିସ୍ତାରି ତା’ର ଭୟଙ୍କର ଅସହାୟ ରାତି,

ଯେମିତି ନିର୍ବୋଧ ଶିଶୁ ଦି’ହାତରେ ଦଳି ଦିଏ

ସଜ ଫୁଟା ରକ୍ତ ଗୋଲାପକୁ—

ସେ ସେମିତି ଦଳିଦେବ ମୋ ରୂପକୁ,

ନିଆଁକୁ ଓ ମୋ ଆଖିର ଅଜସ୍ର ଲୁହକୁ ।

 

ବସନ୍ତ ଗର୍ଜନ କରେ, ଡାକ ଦିଏ

ମୋ ମନର ନିଭୃତକାରାରୁ

ଦିନ ମୋର ଜଳିଯାଏ, ବେଖାଆଲୀ ରାତି ମୋର

ଭାସିଯାଇ ନିଶ୍ଚିହ୍ନ ବି ହୁଏ,

ବସନ୍ତର କୋଳେ ଶୋଇ ଶୀତର ସ୍ୱପ୍ନ ମୁଁ ଦେଖେ

ଆହା–ସେ କି ନିର୍ଯ୍ୟାତନା,

କି ନିରୀହ ଭ୍ରାନ୍ତି ସେ ଯେ

କି କଠିନ, କି ଅବ୍ୟକ୍ତ ଯନ୍ତ୍ରଣାର ଦୋମୁହାଣୀ ଛକେ ?

ତା ୧୫ । ୧୧ । ୬୯

***

 

ଚିଠି

 

ତିନି ତିନି ଖଣ୍ଡ ଚିଠି ଦେଲିଣି ମୁଁ ଖଣ୍ଡେହେଲେ ଉତ୍ତର ଦେଲୁନି

ସତେ କ’ଣ ଭୁଲିଲୁଣି ବଉଳଲୋ

ଆଉ ମୁଁ ତୋ ମନରେ ପଡ଼ୁନି ?

ତୁ ରହିଲୁ କଟକରେ, ସବୁବେଳେ ଗହଳ ଚହଳ

ନିତି ନିତି ଦେଖୁଥିବୁ ଚିହ୍ନାମୁହଁ, ପରିଚିତ ଲୋକ

ମୁଁ ଯେ ଏଠି ଚିତ୍ରକୋଣ୍ଡା ଅରଣ୍ୟରେ ଏକାନ୍ତ ଏକାକୀ

ସବୁ ଏଠି ଦୁରାଗତ, ହିନ୍ଦି ଆଉ ତେଲଗୁର

ମିଶାମିଶି ବନ୍ଧୁତାର ଛକ ।

 

ବଉଳ ତୁ ବୁଝିବୁନି ଆପଣା ଲୋକର ଚିଠି

ଏଇଠାରେ କେଉଁପରି ଲାଗେ

ସତେ ବା ତୃଷାର୍ତ୍ତ ମରୁ ବୁକୁରେ ସେ ବର୍ଷାର ସୂଚନା

ନିଛାଟିଆ ଜୀବନରେ ଆଣିଦିଏ କେତୋଟି ପୁଲକ,

କେଉଁଠୁ ବି ଆସୁନାଇଁ ଚିଠି ଖଣ୍ଡେ—ତତେ କ’ଣ ଅଛି ବା ଅଜଣା ।

ୟେ ତ ଏବେ ବର୍ଷକରୁ ବେଶୀ ହେଲା,

ଟଙ୍କା ନାଇଁ ଚିଠି ଖଣ୍ଡେ ନାଇଁ;

ପ୍ରଥମ ପ୍ରଥମ ଯାହା ଭଲ ମନ୍ଦ ବୁଝୁଥିଲେ ଦି ତିନି ବରଷ

 

 

ଦି’ବର୍ଷର ଶିକ୍ଷା ପାଇଁ ଯାଇଥିଲେ ତିନି ବର୍ଷ ଗଲା

ତା’ପରେ ଆଉରି କେତେ ଗୋଟି ଗୋଟି ବର୍ଷ ବିତିଯିବ ।

 

କଲେଜ ମାଡ଼ି ନ ଥିବା ମୋ ଭଳି ମଫସଲି ଝିଅ—

ଏତେ ଦୂରେ ରହିବାଟା, ମାଷ୍ଟରାଣୀ ଚାକିରିରେ ପେଟ ପୋଷିବାଟା,

ବିଧବା ଶାଶୁଙ୍କୁ ମୋର ଭଲଲାଗେ ନାଇଁ,

ସେ କିନ୍ତୁ ଭାବନ୍ତି ନାଇଁ ମୁଁ କିଏରି ମୋ ଅସହ୍ୟ ଦିନଗୁଡ଼ା

ସହଜରେ ବିତାଇ ପାରନ୍ତି !

 

କାଲି ତ ଆସୁଚି ରଜ:— ମୋ କୁମାରୀ ଜୀବନର

ମୋର ପ୍ରିୟ ଗାଁ ଦାଣ୍ଡ କିଆ ଗୋହିରୀର

ସ୍ମୃତି ସବୁ ମନେପଡ଼େ,

ମନେପଡ଼େ ବୋହୂ ଚୋରୀ ଖେଳ

ସେଥର ରଜକୁ, ଯେଉଁ ହୋଇଥିଲା ‘‘ଭରସା’’ ଥିଏଟର ।

 

ମନେପଡ଼େ କଥାଟାଏ—

ସଜବାଜ ଦିନ, ତୁମେ ସବୁ ଆସିବାକୁ ଡେରି ଟିକେ ଥାଏ—

ହାରମୋନିୟମ ଖୋଲିଦେଇ ମୁଁ ବସି ସ୍ୱର ସାଧୁ ଥାଏ ।

‘ରଥୀ’ ସାର୍ ଗୀତଟିଏ ଶିଖାଇବା ଭଙ୍ଗୀ କରି

ଫୁଲ ବନ୍ଧା ମୋ ଜୁଡ଼ାରେ, କାନ ମୂଳେ

ବିଲେଇ ଛୁଆଟି ପରି ମୁହଁକୁ ଘଷିଲେ

ବଉଳ ଫୁଲ ବାସ୍ନାରେ ସତେଅବା ପାଗଳ ସେ ହେଲେ ।

 

ତା’ପରେ ମୋ ଭର୍ତ୍ସନାରେ, ହାତଯୋଡ଼ି, ଛେପ ଢୋକି ଢୋକି

(‘‘କ୍ଷ...ମା...କ...ରି...ବ’’ )

ପାଞ୍ଚଟି ଅକ୍ଷର ଏଇ ପାଞ୍ଚ ମିନିଟ୍ ଅଦମ୍ୟ ଚେଷ୍ଟାରେ

ଉଚ୍ଚାରଣ କଲେ ।

ଆଉ ତୁମେ ସବୁ ଆସିଗଲା ପରେ

କେମିତି ହସଟେ ହେଲା...କାଲିପରି ମନେପଡ଼ିଯାଏ ।

 

ଯୁଆଡ଼େ ଚାହିଁଲେ ଏଠି ଅରଣ୍ୟର ଭୀମକାନ୍ତ ରୂପ

ମନକୁ ଚାହିଁଲେ, ମନେହୁଏ—ମୁଁ ଯେପରି ମୃତ ଏକ ବନ୍ଦରର

ମସ୍ତ ବାଲିସ୍ତୂପ ।

ସେ ଆଉ ଫେରିବେ କି ନା ବିଦେଶରୁ ଠିକ୍‍କରି କହି ମୁଁ ପାରୁନି,

ତଥାପି ଏ ଲୋକଦେଖା ପତିପ୍ରାଣତାର

ଦୀପ ଜାଳି ମତେ କିନ୍ତୁ ବସିବାକୁ ହେବ ।

 

ଯେମିତି ଆକାଶ ପରେ ଲଦି ହୁଏ

ଘନ ଥଣ୍ଡା ଅନ୍ଧକାର ରାତି

ବେଳେବେଳେ ମୋ ମନରେ

ସେମିତି ଜମିଯାଏ

ଅବିଶ୍ୱାସ, ଅସହାୟ ରାତି ।

 

ମୋ ଅଫେରା ପିଲାଦିନ ମନେପଡ଼େ

ଅହରହ ନିଛାଟିଆ ଲାଗେ

ଆଖିର ଲୁହ ଭିତରେ ତୋ ସୁନ୍ଦର

ମୁଖ ପଦ୍ମ ଫୁଟେ ।

 

ବଉଳଲୋ, ରହୁଚି ମୁଁ; ଚିଠି ଦେବୁ –

ଗାଁ କଥା, ଘରର ଖବର,

ଦୂରେ ରହି ମନାସୁଚି ତୋ’ ସକଳ ଶୁଭ ସମାଚାର ।’’

ଅଳସ ମଧ୍ୟାହ୍ନ ମୋର ସିକ୍ତ ହୁଏ –

ଏଇ ମୋର ବଉଳର ଚିଠି

ଅତୀତର ମହା ସତ୍ୟ, ଆଜିକାର ଅପାଶୋରା ସ୍ମୃତି ।

 

ତା ୩୧ । ୧୨ । ୬୯

***

 

ଯୁଗନାରୀ

 

ମୋ ପ୍ରିୟର ବଂଶୀସ୍ୱନ ଶୁଣି ମୋର ହଜିବ ଚେତନା

ଭୁଲିବି ମୁଁ ସ୍ୱାମୀ, ଶାଶୁ, ନଣନ୍ଦର ଅଶେଷ ଗଞ୍ଜଣା,

ମୁଁ ଭାଙ୍ଗିବି ରୁଦ୍ଧ ମୋର ଗୃହପଥ

ମୁଁ ତେଜିବି ସାମାଜିକତାକୁ

ଏକଥା ସମ୍ଭବ ନୁହେଁ, କାରଣ ମୁଁ ବଦ୍ଧନୁହେଁ ଗୃହକୋଣେ

ସମାଜେ ବିସ୍ତୃତି ମୋର–ମୋ ଚାରିପାଖରେ

ସମାଜର ଯେତୋଟି ଆବର୍ତ୍ତ ସବୁକୁ ମୁଁ ଚିହ୍ନେ ।

 

ମୋର ଏଇ ଯୁଗ ଚାହେଁ ସମାଜକୁ, ଜୀବନକୁ

ପ୍ରେମିକ ଠୁଁ ବଡ଼ କରିବାକୁ

ମୁଁ ବରଂ ମରିବି ଝୁରି ତିଳ ତିଳ

କର୍ତ୍ତବ୍ୟର ପଥେ ସ୍ଥିର ରହି

ଦୁନିଆଁକୁ ଉଜାଡ଼ି ମୁଁ ପାରିବିନି ମିଳନର ଜୟଗୀତି ଗାଇ ।

 

ମୋ ପ୍ରେମର ପରାକାଷ୍ଠା

ଜାଣିବାକୁ ଜଗତର ଜନ

କୁଚ୍ଛ୍ରାସାଧି, ନିରାହାରେ, ଜାଗରଣେ, ବଳ୍‍କଳ ବସନେ

ଲେଲିହାନ ବହ୍ନି ପରିଧିରେ ନିରତ ସାଧନା କରି

ଜଳରେ ବୁଡ଼ାଇ ତନୁ ଶୀତାର୍ତ୍ତ ରାତିରେ

ସାଜୁନି ମୁଁ ପ୍ରେମର ସାଧିକା

ବିସ୍ତୃତ ମୋ ଚାରିପାଖେ ଜନପଦ, ସଭ୍ୟତାର

ହେତୁବାନ ରେଖା;

କାହିଁ ବା ଅରଣ୍ୟ ଘନ ହିମାଦ୍ରିର ନିର୍ଜନ ପ୍ରହର–

ଲୋକାରଣ୍ୟେ ମୁଁ ହଜିଚି–

କେତେଦୂର କାହିଁ କେତେ ଦୂର ?

 

ଜୀବନର ପ୍ରତିଟି ମୁହୂର୍ତ୍ତ–

ରୁଟି ଭାତ ଜଞ୍ଜାଳରେ ମୋର କର୍ମରତ –

ସମୟ ମୁଁ ଖୋଜିପାଏ ନାଇଁ

ହେ ମୋ ପ୍ରିୟ ମହେଶ୍ୱର

ମୋର ପତି ପଦପାଇଁ, ତୁମେ ବରଂ ନ ଆସିଲେ ନାଇଁ,

ବ୍ୟର୍ଥତାର ଆତ୍ମଗ୍ଳାନି ମୁଁ ବରଂ ଉଡ଼ାଇ ଦେବି

ଦୀର୍ଘଶ୍ୱାସେ ମୋର–

ମୁଁ ଏକ ପ୍ରେମିକା କିନ୍ତୁ ଜାଗ୍ରତ ଏ ନୂତନ ଯୁଗର ।

 

ମୋ ହସର ସାଥୀ ଯିଏ, ମୋ ଆଖିର ବ୍ୟଥା ଯା’ର

ଆଖି ତୀରେ ସୃଜିବ ଲୋତକ

 

 

ସେଇ ମୋର ସହକର୍ମୀ, ସମମର୍ମୀ

ମୋର ପତି, ମୋର ସେ ପ୍ରେମିକ ।

 

ତା ୩ । ୧ । ୭୦

***

 

ଆତ୍ମହତ୍ୟା ଜନିତ ମୃତ୍ୟୁରେ

 

ନିଃଶବ୍ଦରେ ବିଷଢ଼ୋକି ବର୍ତ୍ତମାନ ଯନ୍ତ୍ରଣା ଜର୍ଜର

ମୋ ଓଠରୁ ଝରିପଡ଼େ ନୀଳ ନୀଳ ଫେଣ ଅନର୍ଗଳ ।

ଦୃଷ୍ଟି ମୋର ଘୂରିଯାଏ, ପୃଥିବୀ ବି ଘୂରିଯାଏ ଚାରିପାଖେ ମୋର

ଶୁଷ୍କ କଣ୍ଠ ଫାଟିଯାଏ—

ମରୁଡ଼ିରେ ଜଳହୀନ ଗହୀର ଯେମିତି

ଫାଟିହୁଏ ଚିରୁଡ଼ା ଚିରୁଡ଼ା

ଜଳିଉଠେ ଛାତି, ପେଟ, ନାକ ଓ ମସ୍ତିଷ୍କ

ସର୍ବାଙ୍ଗରେ ଅନଳର ଜ୍ୱାଳା ।

 

ମୁଁ କାହିଁ ଢୋକିଲି ବିଷ–ସେ କଥା ମୋ ମନେ ପଡ଼ୁନାହିଁ,

କିମିତି ପାଇବି ମୁକ୍ତି......

କିମିତି ବା ନିଃଶ୍ୱାସରେ ଶୋଷିନେବି ସମଗ୍ର ପବନ...

ମୁଁ ଖାଲି ବିକଳ ହୁଏ— ।

 

ଖାଲି ଥରେ ମନ ହୁଏ

ମୋ ରୁଦ୍ଧ ଝର୍କା ସେପଟେ ଦେଖିବାକୁ କୃଷ୍ଣଚୂଡ଼ା ଗଛ...

ଯା’ଶାଖାର ଶ୍ୟାମଳ ପାହାଚ

ଉପରେ ଫୁଟନ୍ତା ଫୁଲ, ଜଢ଼ କେତେ

ଶ୍ରାବଣର ହାୱାରେ ପାଗଳ—

ହସକୁଡ଼ୀ ଝିଅଦଳେ ସତେ ଅବା କୌତୁକରେ ଭୋଳ ।

 

ତା’ ପରେ ମୋ ପ୍ରିୟଜନ,

ନଦୀ ଓ ପର୍ବତ ପୁଣି

ତା’ପରେ ଯେ କେତେ କ’ଣ...

ମୋ ଜଗତ ଘୂରିଯାଏ ଚକଭଳି

ଥକିପଡ଼େ ଆଖିଡ଼ୋଳା ମୋର

ମୁଁ କେତେ ମନକୁ ମନ ଚିତ୍କାରଇ

ମତେ କିଏ ବଞ୍ଚାଅ ବଞ୍ଚାଅ,

ଏ ଜୀବନ ଭାରି ଭଲ, ଏ ପୃଥିବୀ, ଏ ମୋର ଆତ୍ମୀୟ;

ଜୀବନକୁ ଏଇଭଳି ଫାଙ୍କିଦେଇ ଯିବାକୁ ମୁଁ ଚାହେଁ ନାଇଁ

ମୁହୂର୍ତ୍ତଟେ ପାଇଁ ହେଲେ ଏ ଦୁଃସହ ଯନ୍ତ୍ରଣାରୁ

ମୁକ୍ତି ମତେ ଦିଅ ।

 

ଅଳ୍ପକ୍ଷଣ ପୂର୍ବରୁ ବି ମତେ ଯାହା ଲାଗୁଥିଲା ପ୍ରାଣହୀନ

ଆକର୍ଷଣ ହୀନ...

ମୋର ମନେ ହେଉଥିଲା

ସତେଅବା ସବୁଆଡ଼େ ଶୂନ୍ୟ, ମହାଶୂନ୍ୟ

ଏବଂ ମୁଁ ଢୋକିଲି ବିଷ;

ତା’ପରେ ଯେ କି ଯନ୍ତ୍ରଣା

ମୋ ଆଖିରୁ ଧୀରେ ଧୀରେ ନିଭିଯାଏ

ପୃଥିବୀର ସକଳ ସମ୍ମୋହ,

ସଂଧ୍ୟା ବା ଯେମିତି ଧୀରେ ନଇଁଆସେ

ଦିଗଘେରା ସମୁଦ୍ର ଜଳରେ

ସେଇମିତି କଳାଛାଇ ଏକ

ଢାଙ୍କି ଆସେ ଚାରିଦିଗ

ଆଉ ମୋର ଦୃଷ୍ଟି ପରିଧିରେ ।

 

ଚକ୍ଷୁ ମୋର ସ୍ଥିରହୁଏ

ସତେ ଅବା ମନେହୁଏ

ମତେ କିଏ ନେଇ, ଶୂନ୍ୟରେ ଯାଉଚି ଉଡ଼ି

ଏବଂ ମୋର ଛାତିଚିରି ହୃତ୍‍ପିଣ୍ଡକୁ ମୋର

ଟାଣିନେଇ ପଳାଉଚି—ଆଉ ମୋର ଉଲଗ୍ନ ଦେହକୁ

ଫିଙ୍ଗିଦେଇ ଯାଉଅଛି

ସାତତାଳ ଅଂଧାର ଗହ୍ୱରେ ।

ତା ୨୮ । ୨ । ୭୦

***

 

ଅରଣ୍ୟ, ଚଳନ୍ତାଗାଡ଼ିରୁ

 

। ସକାଳେ ।

 

ସକାଳୁଆ ଖରାଡ଼ିଏଁ ଅଭିଆଡ଼ୀ ଝିଅ ଭଳି

ଗଛରୁ ପାହାଡ଼, ଆଉ ପାହାଡ଼ରୁ ପାହାଡ଼ ତଳିକୁ,

ଗଦାଗଦା ଅଳସୀଫୁଲର ଦେହେ ତଡ଼ିତ୍ ଜଗାଇ

ଝରକାର କାଚ ଦେହେ ନେସିହୁଏ ବନର ଶ୍ୟାମଳ ।

ଛୋଟ ଏକ ଗୁଣ୍ଡୁଚିର ସୋହାଗ ଆବେଗ ନେଇ

ମିଶିବାକୁ ଅରଣ୍ୟ ଛାତିରେ

ବ୍ୟଗ୍ର ହୁଏ ମନ ପ୍ରାଣ

ନିକଟରେ ପେନ୍ଥା ପେନ୍ଥା କାଞ୍ଚନ ଫୁଲର

ଆତ୍ମୀୟତା, ଏବଂ ଆମନ୍ତ୍ରଣ ।

ମତେ ସବୁ ମୁଗ୍ଧ କରେ

ସମୁଦ୍ରର ଆଖି ମୋର, ସହରର ଆଖି

ନିଭୃତରେ ଟିପିରଖେ ଅରଣ୍ୟର ଏକାନ୍ତ ସ୍ମାରକୀ ।

ଆମେ ଚାଲୁ ପାହାଡ଼ର ଶିଖ ଦାଢ଼େ

ତଳେ ରହେ ଆମରି ଦୁନିଆ

ଝରଣାର କୂଳେ କୂଳେ ‘ଝୋପ୍ଡ଼ି’ କେତେ

ଛୋଟ ଛୋଟ କନ୍ଧର କୁଡ଼ିଆ,

ସେଇ ଗାଆଁ, ସେଇ ସେ ପର୍ବତ,

ଜୀବନ ଯେଉଁଠି ଏକ ଚଳମାନ୍ ବିଷମ ସଂକଟ ।

ଅଦୂରେ ପାହାଡ଼ ଦେହେ

କୋମଳ ଶ୍ୟାମଳ ଧାନ; କାନ୍ଦୁଲର କୋଠି କଟା ଚିତା

ଯେଉଁଠି କଠୋର ଶ୍ରମେ ନଇଁପଡ଼େ

ମୁଗୁନି ପଥର ଦେହ ଝାଳରେ ଗାଧୋଇ

ସାନ୍ତାଳ ଓ ସାନ୍ତାଳ-ବନିତା ।

ଆମେ ଛାଡ଼ି ଆସିଥିବା ଦୀର୍ଘରାସ୍ତା ପଶ୍ଚାତେ ଆମରି

ଗଛ ମାନେ ଲୁଚାଇ ଦିଅନ୍ତି—

ଆମେ ଖାଲି ଦେଖିପାରୁ ଅଗମ୍ୟ ଅରଣ୍ୟ

ତା’ ଭିତରେ ଆମଗତି ସମ୍ଭବ ବା ହେଲା କେଉଁପରି ?

ଜଙ୍ଗଲରେ ହାଟବସେ, ହାଟ ଭାଙ୍ଗେ,

ବିକାକିଣା—ମାଣ୍ଡିଆ, କାକୁଡ଼ି ଆଉ ବୋଇତାଳୁ ସୁଆଁ,

ଜାତି ଜାତି ରଙ୍ଗମାଳି, ଛୋଟ ଆର୍ସି କାଠର ପାନିଆଁ,

ଯୁବକର କାନନୋଳି, ଯୁବତୀର ଜୁଡ଼ାର କୋରୁହାଁ ।

କ୍ରମେ ଦିଶେ ଅଦୂରରେ ପାହାଡ଼ର ନିମ୍ନଭୂମି

ସମତଳ ଭୂମି...

ଚିତ୍ରକର କିଶୋରର ଖୋଲାଥିବା ରଙ୍ଗବାକ୍ସ ଭଳି–

ଶସ୍ୟହୀନ ନାଲିମାଟି, ଶସ୍ୟଭରା ଘନଶ୍ୟାମ ହରିତ କିଆରି ।

 

। ରାତିରେ ।

 

ମନେହୁଏ ଏଇମିତି ଅଗ୍ନାଅଗ୍ନି ବନସ୍ତରେ ବାଟବଣା ହୋଇ

ରାଜାଝିଅ କାନ୍ଦୁଥିଲା ! ଲୁହଟୋପା ଗୋଟିକରେ

ଫୁଟୁଥିଲା ସୁନା ଚମ୍ପା ଏକ;

ମୋ ସାମ୍ନାରେ ଚିକ୍‍ଚିକ୍ ଗାଡ଼ିର ଆଲୋକ ।

ସତେ ବା ଆଲୋକ ସେଇ

ଚିରିଦିଏ ଅରଣ୍ୟର ସବୁଜ ଛାତିକୁ ।

ସେ ଅରଣ୍ୟ ଆକାଶରେ ଜହ୍ନ ହସେ

ପଥରର, ଲାଭାର ଓ ଉଷର ମରୁର

ଜହ୍ନ ହସେ ପୁଲକର, ମାର୍ବଲର, ଆକୁଳ ପ୍ରାଣର ।

ତା ପାଇଁ ଝୁରନ୍ତି ଯେଣୁ ଅଜସ୍ର ଶଙ୍ଖର ଫୁଲ

ତନ୍ଦ୍ରାତୁର ଅସଂଖ୍ୟ ଚକୋର ।

ବେଳେବେଳେ ଶୋଇଯାଏ ଜହ୍ନ ନିଜେ

ଅରଣ୍ୟର ଘନକଳା ଶେଯେ

ଆକାଶରେ ଜଳୁଥିବା ଏକୁଟିଆ ନୀଳତାରା ଭଳି

ଗାଡ଼ିର ସାମ୍ନାରେ ପଡ଼ି ଜଳିଉଠେ

ବାଘ ଆଖି ନୀଳର ବିଜୁଳି ।

ରାସ୍ତାକଡ଼େ ତୁଳାର ଠେକୁଆମାନେ ସନ୍ଦେହୀ ଆଖିରେ

ଚଳନ୍ତା ଯାନର ଏଇ ଅକସ୍ମାତ ଆଗମନବାର୍ତ୍ତା

ପ୍ରଚାର କରିବା ପାଇଁ

ଅସମ୍ଭାଳେ ଲୁଚିଯାନ୍ତି ଡେଇଁ ।

ଅନ୍ଧାର ପାତଳ ହୁଏ

ନିକଟରେ ଧାଉଁଥାଏ ରେଳଗାଡ଼ି

ଅରଣ୍ୟର ଅଜଗର ଭଳି

ତା ବହଳ ନିଃଶ୍ୱାସର ନିଆଁ ଝୁଲମାନେ

ଛୁଟିଥାନ୍ତି ପଛକୁ ପଛକୁ

ଜୂଳାଜୂଳା ପୋକ ଦଳେ ସତେଅବା ଉଡ଼ିଯାନ୍ତି

ଆକାଶର ନିଶୂନ ଛାତିକୁ ?

 

ତା ୧୫ । ୧ । ୭୦

***

 

ସରଦେଇ

 

। ସ୍ମୃତି ।

 

ସଞ୍ଜର ମହଳ ଖରା ମଥାନରେ ଶୋଇଯାଏ

ଅଭିମାନୀ ଝିଅପରି ମୁହଁ ନଦି, ଗାଲପାରି ଦେଇ

ଶୁଭକାଉ ଡାକିଯାଏ—ଆଗନ୍ତୁକ ପ୍ରିୟର ସଙ୍କେତ

ମୁଁ ଭାବେ ଆସିବ କିଏ ?

ସେ ହୁଅନ୍ତି ସାମ୍ନାସାମ୍ନି...

ତାଙ୍କ ଦୁଇ ଆଖି–ଗଭୀର ହ୍ରଦର ଜଳ

ନୀଳ ଓ ତରଳ,

ନୂଆ ଚିହ୍ନା, ପରିଚୟ ନିହାତି ନୂତନ,

ତଥାପି ମୋ ପିନ୍ଧା କସ୍ତା – ନାଲି, ନେଳି ଅଳକାପୁରୀରେ

ଫୁଲ ହୋଇ ଫୁଟିଅଛି ତାଙ୍କର ସେ ବିଦାୟୀ ଚୂମ୍ୱନ ।

ସେ ଗଲେ ଯୁଦ୍ଧକୁ –

ଜାମୁକୋଳି ରଙ୍ଗ ତାଙ୍କ ଦି’ଓଠରୁ ସାନ୍ତ୍ୱନାର କଥା କେଇ ପଦ

‘‘ବଞ୍ଚିଥିଲେ ଏ ଜନ୍ମରେ ମଲେ ପୁଣି ଆର ଜନ୍ମେ ଦେଖା’’

ସତେ କ’ଣ ପୁନର୍ଜନ୍ମ ଅଛି ?

କେ ଜାଣି ବା ହୋଇଥିବ

କେତେ ଦୂରେ ସେ ସାଗର ବୀଚି ?

ଝରେ ଚିଲିକା ନାଚେ ଫୁଲି ଫୁଲି

ପଚଣ୍ଡ ବର୍ଷାରେ—ମାଳକୁଦା ଗାଁ ଦାଣ୍ଡେ

ଗଛମାନେ ଯେତେବେଳେ ଅସ୍ତ ବ୍ୟସ୍ତ

କେ ଯେମିତି ଟିପାମାରେ ଦାଣ୍ଡ କବାଟରେ

କିଏ ବା ଆସିବ ବୋଲି ଧାଇଁଯାଇ ଖୋଲଇ ଦୁଆର

କେହି ତ ନ ଥାଏ, ହେଲେ

ଚିଲିକାର ଛାତିଆଡ଼ୁ କୁଦିଆସେ ପାଗଳ ପବନ,

ଥଣ୍ଡା ତା’ର ହାତ ଦେଇ ସାଉଁଳାଏ

ମୁହଁ ଆଖି ଏବଂ ମୋର ସମଗ୍ର ଯୌବନ ।

ଅହେତୁକ ଶୀତ୍କାରରେ ଚେତାହଜେ ।

‘‘ଆଲୋ ନିଆଁ ଲାଗି ସର, ସବାଖାଈ ସଭିଙ୍କି ଖାଇଲୁ—

ଆଉରି ପୂରିନି ପେଟ... ?’’

ପାଗଳୀ ମୋ ଶାଶୁଙ୍କର ଡାକ ସେ ଯେ ନିଷ୍ଠୁର ସୋହାଗ

ମତେ ସତେ ଚାବୁକରେ ପିଟେ;

ମୋ ପଞ୍ଜୁରୀ ଭିତରକୁ ସେତେବେଳେ ପୁନଶ୍ଚ ଲେଉଟେ ।

 

। ସ୍ୱପ୍ନ ।

 

ତୁମେ କିନ୍ତୁ ଅସୁଆର ଜଣକ ସେଦିନ

ଭରା ମୋର କଳସୀରୁ ଜଳପିଇ ତୃଷା ନିବାରିଲ—

ତୁମକୁ ଅକ୍ଷତ ରଖି ବାର୍ଚ୍ଛାଘାତ ନିଜେ ମୁଁ ସହିଲି;

ତୁମ ପତ୍ନୀ ଆଖି ଲୁହ ହତାଶାର ଅସହ୍ୟ ଯନ୍ତ୍ରଣା

ସେ ଛାଇରେ ଆପେ ଦଗ୍ଧ ହେଲି ।

ଏଇ ବାଲୁଗାଁ ପେଣ୍ଠ, ଏ ନିରୋଳା ଚଟୀଘର ମୋର

ସେଦିନ ଉଠିଲା ଝଡ଼, ମୁହୂର୍ତ୍ତକ ଶଙ୍କାରେ ଅଧୀର

ଏତେ ବଡ଼ ଅଭିସନ୍ଧି ଚିଟାଉକୁ ଯତ୍ନେ ଚୋରିକରି

ତୁମ ପାଇଁ ଉଠୁଥିବା ମୋ ମନର ଅଜସ୍ର ଢେଉକୁ

ମୋ ଦେହର ରୁଦ୍ଧ କୂପେ ଚିରଦିନ ସମାଧି ବି ଦେଲି ।

ଏଠି ଯେବେ ରାତି ଆସେ –

ନିଷ୍ପ୍ରଦୀପ ନିଛାଟିଆ କୋଠରିରେ

ଖୁନ୍ଦି ଦେଇ ଗଦାଏ ଅନ୍ଧାର

ବାହାରେ ମୁଁ ଏକୁଟିଆ

ଦେଖୁଥାଏ ଆକାଶର ଛାଇ—

ଆକାଶ ତିଆରୁ ଥାଏ ଜୁଡ଼ା ତା’ର

କଳା କଳା ଅନ୍ଧାରର କେଶ ସାଉଁଳାଇ

ରୂପାଜହ୍ନ ପାନିଆଁ ବସାଇ ।

ଜଗୁନିରେ ଭାଇମୋର, ଏକା ନାହି ନ ହେଉ ଦି’ଖଣ୍ଡ

କ୍ଷତି କ’ଣ ? ତୁହି ମୋର, ଅତି ଆପଣାର ।

ତୁ ସିନା ନ ଥିଲୁ ବୋଲି ସେ ନିର୍ଲଜ୍ଜ ମୋଗଲ ଲସ୍‍କର

 

 

ମତେ ଦେଲା ଅନିଭୋଗ,

ନିଷ୍ଟ କଲା ମୋର ଇହକାଳ ।

 

। ସମାଧି ।

 

ଏଇ ପଥେ କେତେ ଯାତ୍ରୀ ପଦ ଚିହ୍ନ ଅସଂଖ୍ୟ ବି ପଡ଼େ

‘‘ତଣ୍ଡା କିନାର’’ର ଏଇ ଦୀର୍ଘ ପଥ

କେତେ ମୋର ଦୃଷ୍ଟିକୁ ସଜାଡ଼େ ।

ଦିନ ବି ସଞ୍ଜରେ ହଜେ; ରାତି ମିଶେ ପୁନଶ୍ଚ ଦିବାରେ

କେତେ ଦୂରେ ପୁରସ୍ତମ, କେତେ ଦୂରେ କାଳିଆ ଠାକୁରେ ?

ମୁଁ ଏଠି ପତିତା ଏକ, ତୁମେ ପରା ପତିତପାବନ

ତଥାପି ମୋ ନିଜକୁ ହିଁ ଭୀତକରେ ମୋର ନିଜ ମନ ।

ତୁମରି ରାସ୍ତାର ଧୂଳି ପାଲଟେ ବି କର୍ପୂରର ରେଣୁ,

ମୁଁ ତାକୁ ମସ୍ତକେ ଛୁଏଁ

କର୍ଦ୍ଦମକୁ ଚଂଦନହିଁ ଭାଳେ ।

ଏଡ଼େ ମୁଁ ପାପିନୀ ନାରୀ କିଏ କେତେ ପୁଣ୍ୟ ବା ନ କଲା

ଥରଟିଏ ଦରଶନ ନ ପାଇଲି

ବିଅର୍ଥେ ମୋ ଜୀବନ ବିତିଲା

ମୃତ ମୋର ଶାଶୁଙ୍କର ପିଠିରେ ସବାରହୋଇ

ଯମଦୂତ ମୋ ଆଗକୁ ଆସିଲା ବେଳକୁ

ଶାଶୁଙ୍କର ଲୁହବିନ୍ଦୁ ମୋ ଛାତିରେ

ମୁକ୍ତା ହୋଇ ଜଳୁଥିଲା,

ଅସହ୍ୟ ତୃଷାରେ ମୋର କଂଠ ତଳୁ ରକ୍ତ ଝରୁଥିଲା ।

ଅସଂଖ୍ୟ ଅପୂର୍ଣ୍ଣ ଆଶା ପରେ ଏଇ ଶେଷ ଅଭିଳାଷ

ସତେ ପ୍ରଭୁ ପୂର୍ଣ୍ଣହେବ ଦେଖିବି ମୁଁ ସେ ମୁହଁ ସରସ,

ଏଇ ଛାଇ ଚଟି କୁଡ଼ିଆକୁ

ପ୍ରତେ ହୁଏ ନାହିଁ ପ୍ରଭୁ, ତୁମେ ସତେ କିପରି ଆସିଲ ?

ନାଗେଶ୍ୱର ମଣ୍ଡା ଆଉ ରାଶି ରାଶି କେତକୀ ପାଖୁଡ଼ା

ତୋଳିନେଲି ଅଂଜଳିରେ

ତା’ ସୁଗଂଧେ ଭରିଲା ଚୌଦିଗ

ମୋର ଏ ଅକାଳ ଜରା-ଶୀର୍ଣ୍ଣ ଦେହେ ଯୌବନ ଆସିଲା

ଶୀତର କୁହୁଡ଼ି ଘେରା ମ୍ରିୟମାଣ ଗଛର ଶାଖାରେ

ଫୁଲର ଓଠକୁ ଖୋଲି

ସତେ ଅବା ବସଂତ ହସିଲା ।

ଏ ଯୌବନ ଆଉଥରେ ଆସିଥିଲା

ମୋ କୁମାରୀ ଜୀବନର

ଅପାଶୋରା ସ୍ମୃତିର ଛଂଦରେ

ଏବେ ପୁଣି ଭରିଦେଲା ମୁମୂର୍ଷୁ ଏ ଦେହ ମନ

ତୁମ ସ୍ମୃତି, ତୁମରି ଗଂଧରେ ।

 

ତା ୯ । ୪ । ୧୧ । ୪ । ୭୦

‘ନୀଳଶୈଳ’ ଉପନ୍ୟାସର କାଳ୍ପନିକ ଚରିତ୍ର

***

 

କୃତଜ୍ଞତା ଜ୍ଞାପନ

 

ଉକ୍ତ ସଂକଳନରେ ପ୍ରକାଶିତ କବିତାମାନଙ୍କ ମଧ୍ୟରୁ ଅନେକ ‘ଝଙ୍କାର’, ‘ପ୍ରଜାତନ୍ତ୍ର’, ‘କଳିଙ୍ଗ’, ‘ଦିଗନ୍ତ’ ‘ଆସନ୍ତାକାଲି’, ‘ଡଗର’, ‘ଜୀବନରଙ୍ଗ’ ପ୍ରଭୃତି ସମସାମୟିକ ପତ୍ରିକାମାନଙ୍କରେ ଭିନ୍ନ ଭିନ୍ନ ସମୟରେ ପ୍ରକାଶ ପାଇଛି । ଏହି ପତ୍ରିକାମାନଙ୍କ ସଂପାଦକଙ୍କ ଠାରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।

 

ଲେଖିକା

***